ଖବର ଓଡ଼ିଶା: ଓଡ଼ିଶାର ରେଳପଥକୁ ବିକଶିତ କରିବା ନିମନ୍ତେ ୬ ପ୍ରମୁଖ ରେଳ ପ୍ରକଳ୍ପକୁ ଅନୁମୋଦନ ଦେଇଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରେଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଯେ ଓଡ଼ିଶାର ରେଳପଥକୁ ବିକଶିତ କରିବା ନିମନ୍ତେ ୬ ପ୍ରମୁଖ ରେଳ ପ୍ରକଳ୍ପକୁ ଅନୁମୋଦନ ଦେଇଥିବାରୁ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଧନ୍ୟବା ଦ ଜଣାଉଛି । ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ ହେବା ସହିତ ଏହି ପ୍ରକଳ୍ପ ଓଡ଼ିଶାର ଆକାଂକ୍ଷୀ ଜିଲ୍ଲା ଏବଂ ଆଦିବାସୀ ବହୁଳ ଅଞ୍ଚଳରେ ବିକାଶର ମାଧ୍ୟମ ପାଲଟିବ । ଡବଲ ଇଞ୍ଜିନ ସରକାରରେ ସାଢେ ଚାରିକୋଟି ଓଡ଼ିଆଙ୍କ ସ୍ଵାର୍ଥ ପୂରଣ ସହ ଓଡ଼ିଶାକୁ ପୂର୍ବୋଦୋୟ ବିକାଶର କେନ୍ଦ୍ର ଭାବେ ଗଢିତୋଳିବାର ସ୍ଵପ୍ନ ସାକାର ହେବ ।
ଏଠାରେ ଉଲ୍ଲେଖ ଯୋଗ୍ୟ, କେନ୍ଦ୍ର କ୍ୟାବିନେଟରେ ୮ଟି ପ୍ରମୁଖ ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏଥି ମଧ୍ୟରେ କେବଳ ଓଡ଼ିଶାକୁ ୬ଟି ରେଳ ପ୍ରକଳ୍ପ ମିଳିଛି । ଏଥିପାଇଁ ପାଇଁ ମୋଟ ୨୪,୬୫୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।