ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଦଳର ସଦସ୍ୟତା ଅଭିଯାନରେ ସାମିଲ ହୋଇଛନ୍ତି । ଦଳର ସଦସ୍ୟତା ଗ୍ରହଣ କରିଥିବା କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜେ.ପି ନଡ୍ଡା । ଏହି ଅବସରରେ କଂଗ୍ରେସ ପରିବାଦ ରାଜନୀତି ଉପରେ ତେରଚ୍ଛା ବାଣ ମାରିଛନ୍ତି ଜାତୀୟ ସଭାପତି । ବିଜେପିରେ ନେତା ପୁଅ ନେତା ହୁଅନ୍ତି ନାହିଁ ବରଂ ମାଟିରୁ ଆସିଥିବା ସାଧାରଣ ବ୍ୟକ୍ତି ନେତା ହୁଅନ୍ତି ବୋଲି କହିଛନ୍ତି ନଡ୍ଡା ।
ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ସଦସ୍ୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଯୋଗ ଦେଇ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ ଭାରତରେ ୫ ହଜାର ଦଳ ରହିଛି ୫୦ରୁ ଅଧିକ ଆକ୍ଟିଭ ଦଳ ରହିଛନ୍ତି । କିନ୍ତୁ ବିଜେପି ଏକମାତ୍ର ଗଣତାନ୍ତ୍ରିକ କ୍ୟାଡର ଯୁକ୍ତ ରାଜନୈତିକ ଦଳ । କଂଗ୍ରେସର ଏମିତି ସଦସ୍ୟତା ଅଭିଯାନ ଦେଖିଛନ୍ତି କି ବୋଲି ପ୍ରଶ୍ନ କରିଥିଲେ । ଏକମାତ୍ର ବିଜେପିରେ ହିଁ ଅତ୍ୟନ୍ତ ସ୍ଵଚ୍ଛ ଭାବେ ସଦସ୍ୟତା ଗ୍ରହଣ ହୋଇଥାଏ । ସଦସ୍ୟତା ଗ୍ରହଣ ସରିବା ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏହାରି ମଧ୍ୟରେ ନାଁ ନ ନେଇ ସେ କଂଗ୍ରେସକୁ ଟାର୍ଗେଟ୍ କରି କହିଥିଲେ କି ଏଠାରେ ଏଠି ନେତା ପୁଅ ନେତା ହୁଏନି ବରଂ ମାଟିରୁ ଆସିଥିବା ବ୍ୟକ୍ତି ନେତା ହୋଇଥାଏ ।
ନଡ୍ଡା ଆହୁରି କହିଥିଲେ ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ସମସ୍ତଙ୍କ ଯୋଗଦାନ ଜରୁରୀ ଅଟେ । ଆମେରିକା, ୟୁରୋପ, ଅଷ୍ଟ୍ରେଲିଆର ଅର୍ଥନୀତି ଅସ୍ଥିର ରହିଛି । ଜାପାନ ଏବଂ ଚାଇନାର ଅର୍ଥନୀତିରେ ସଙ୍କଟରେ ରହିଛି । କିନ୍ତୁ ଭାରତର ଅର୍ଥନୀତି କ୍ରମଶଃ ଅଗ୍ରଗତି କରିଛୁ । ମୋଦୀଙ୍କ ନେତୃତ୍ୱରେ ଭାରତ ବ୍ରିଟେନକୁ ପଛରେ ପକାଇ ଏକାଦଶ ସ୍ଥାନରୁ ଆଜି ବିଶ୍ଵର ପଞ୍ଚମ ଅର୍ଥଶକ୍ତିରେ ପରିଣତ ହୋଇଛି । ମୋଦିଙ୍କ ନେତୃତ୍ଵରେ ଭାରତ ତୃତୀୟ ବୃହତ ଅର୍ଥଶକ୍ତି ହେବାକୁ ଯାଉଛି । ୯୭ ପ୍ରତିଶତ ମୋବାଇଲ ଆଜି ଭାରତରୁ ତିଆରି ହେଉଛି । ମାତ୍ର ଦଶ ବର୍ଷ ତଳେ ଆମେ ୯୨ ପ୍ରତିଶତ ମୋବାଇଲ ଆମେ ଆମଦାନୀ କରୁଥିଲୁ । ଇସ୍ପାତରେ ଆମ ଦେଶ ଚତୁର୍ଥ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଆସିଛି । ସେହିପରି ଆମେ ନିଜର ଗଣେଶ ଠାକୁରଙ୍କ ମୂର୍ତ୍ତିରୁ ଚାଇନାରୁ ଆଣି ପୂଜା କରୁଥିଲୁ । ମାତ୍ର ଆଜି ଖେଳନା ବିକ୍ରି କ୍ଷେତ୍ରରେ ଭାରତ ତୃତୀୟ ସ୍ଥାନକୁ ଆସିଛି ।
ଜେ.ପି ନଡ୍ଡା ନାଁ ନନେଇ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ରାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଭାଇ ଭଉଣୀଙ୍କୁ ଭାରତର ଆଉ କିଛି ବିକାଶ ଦିଶୁ ନାହିଁ, ଭାଇ ଭଉଣୀଙ୍କୁ ସବୁ ବେଳେ କେବଳ ଦୁଇଟି କଥା ଦେଖାଯାଉଛି । ବେକାରୀ ଓ ଦରଦାମ ବୃଦ୍ଧି କଥା ଉଭୟ ସବୁବେଳେ କହୁଛନ୍ତି । ସେମାନଙ୍କ ଅଭିଧାନରେ ଯେମିତି ଆଉ କିଛି ନାହିଁ ବୋଲି କହିଛନ୍ତି ନଡ୍ଡା ।