ମୁମ୍ବାଇ: ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ତଥା ସ୍ୱର୍ଗତ ଅଜିତ ପାୱାରଙ୍କ ଧର୍ମପତ୍ନୀ ସୁନେତ୍ରା ପାୱାର ଉପ-ନିର୍ବାଚନରେ ଐତିହାସିକ ଏବଂ ଏକପାଖିଆ ବିଜୟ ହାସଲ କରିଛନ୍ତି । ବାରାମତୀ ବିଧାନସଭା ଆସନର ଉପ-ନିର୍ବାଚନରେ ସମସ୍ତ ରେକର୍ଡ ଭାଙ୍ଗି ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟ୍ ବ୍ୟବଧାନରେ ସୁନେତ୍ରା ସ୍ୱାମୀଙ୍କ ଗଡ଼କୁ ବଜାୟ ରଖିବାରେ ସଫଳ ହୋଇଛନ୍ତି । ସେ ମୋଟ ୨ ଲକ୍ଷ ୧୮ ହଜାର ୯୩୦ ଭୋଟ ବ୍ୟବଧାନରେ ବିଜୟନୀ ହୋଇଛନ୍ତି । ଯାହାକି ସମଗ୍ର ଭାରତ ବର୍ଷରେ ଏଯାବତ ସବୁଠାରୁ ବଡ଼ ରେକର୍ଡରେ ଗଣତି ହୋଇଛି । ସୁନେତ୍ରା ପାୱାର ଉତ୍ତର ପ୍ରଦେଶ ସାହିବାବାଦ ଆସନ ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ୨୦୨୨ରେ ଏଠାରେ ସୁନୀଲ କୁମାର ଶର୍ମା ୨ ଲକ୍ଷ ୧୪ ହଜାର ୮୩୫ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ।
ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ପରେ ବାରାମତୀରେ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି । ଉପ-ମୁଖ୍ୟମନ୍ତ୍ରୀ ପଦ ଦାୟିତ୍ୱରେ ଥିବା ପତ୍ନୀ ସୁନେତ୍ରା ଏହି ଆସନରୁ ପ୍ରାର୍ଥୀ ହୋଇଥିଲେ । ବାରମତୀରେ ମୋଟ ୨ ଲକ୍ଷ ୨୩ ହଜାର ମତଦାନ ହୋଇଥିବାବେଳେ କେବଳ ସୁନେତ୍ରାଙ୍କ ଖାତାକୁ ଆସିଛି ମୋଟ ୨ ଲକ୍ଷ ୧୮ ହଜାର ୯୩୦ ଭୋଟ ମିଳିଛି । ଏଠାରେ ମୋଟ ୪ ଲକ୍ଷ ୮୨ ହଜାର ମତଦାତା ଥିବାବେଳେ ମାତ୍ର ୫୮ ପ୍ରତିଶତ ମତଦାନ ହୋଇଥିଲା ।
ଏହି ଐତିହାସିକ ବିଜୟ ପରେ ସୁନେତ୍ରା ସମସ୍ତ ମତଦାତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ ବହୁତ ଭାବବିହ୍ୱଳ ହୋଇପଡ଼ିଛନ୍ତି । ସୁନେତ୍ରା କହିଛନ୍ତି, “ଅଜିତ ପାୱାରଙ୍କ ଯିବା ପରେ ଏହା ପ୍ରଥମ ନିର୍ବାଚନ । ମୁଁ କେବେବି ଭାବି ନ ଥିଲି ମୋତେ ଏହି ନିର୍ବାଚନ ଲଢ଼ିବାକୁ ପଡ଼ିବ । ବାରମତୀ ଜନତାଙ୍କ ଏହି ଭଲ ପାଇବା ଏବଂ ଭୋଟ ଅଜିତ ଦାଦାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି । ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ।” ସେହିପରି ସମଗ୍ର ବାରମତୀକୁ ସେ ତାଙ୍କର ପରିବାର ବୋଲି କହିଛନ୍ତି । ଯେଉଁ ସମର୍ଥନ ମିଳିଛି ତାହା ବହୁତ ମହତ୍ୱପୂର୍ଣ୍ଣ ଅଟେ । ଅଜିତଙ୍କ ଭଳି କାମ ଜାରି ରଖିବା ସହିତ ବିକାଶର ଧାରାକୁ ଆଗକୁ ବଢ଼ାଇବାକୁ ଉଦ୍ୟମ ଜାରି ରଖିବେ ବୋଲି ଜନତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ସୁନେତ୍ରା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୨୪ ନିର୍ବାଚନରେ ଅଜିତ ପାୱାର ଏହି ଆସନରୁ ଲଢ଼ି ଉପମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ଚଳିତ ବର୍ଷ ଜାନୁଆରୀ ୨୮ ତାରିଖରେ କୌଣସି କାମରେ ବାରମତୀ ଯାଉଥିବାବେଳେ ବିମାନ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା । ଏହା ପରେ ତାଙ୍କ ପତ୍ନୀଙ୍କୁ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା ।