ପ.ବଙ୍ଗ ଓ ତାମିଲନାଡୁରେ ବ୍ୟାପକ ଓଲଟ ପାଲଟ ହୋଇଛି। ।ଯେଉଁ ମମତାଙ୍କୁ ଅପରାଜେୟ ବୋଲି ମନେ କରାଯାଉଥିଲା ସେ ଗୈରିକ ସୁନାମୀରେ ଭାଷି ଯାଇଛନ୍ତି। ଅନ୍ୟପକ୍ଷରେ ସନାତନର ସମୂଳେ ନାଶ ପାଇଁ ଆହ୍ୱାନ କରିଥିବା ପିତା-ପୁତ୍ରଙ୍କ ଯୋଡ଼ି ତାମିଲନାଡୁରେ କ୍ଷମତାରୁ ବିତାଡିତ ହୋଇଛନ୍ତି।
ଆଉ ଏହାରି ଭିତରେ ସୋସିଆଲ ମିଡିଆରେ ଏଥିପାଇଁ କେଜ୍ରିୱାଲଙ୍କୁ ଦାୟୀ କରାଯାଉଛି। କେଜ୍ରିୱାଲ ଏହି ଦୁଇ ନେତାଙ୍କ ପାଇଁ ଅଶୁଭ ଥିଲେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ, କେଜ୍ରିୱାଲ ଦୁଇ ନେତାଙ୍କ ପାଇଁ ସେମାନଙ୍କ ରାଜ୍ୟକୁ ଯାଇ ଜୋରଦାର ପ୍ରଚାର କଲେ। କିନ୍ତୁ ଏବେ ଗଣତି ପରେ ଜଣା ପଡୁଛି,ଦୁଇ ନେତା ପାୱାର ସେଣ୍ଟରରୁ ସେମାନଙ୍କ ବେଡିଂବିସ୍ତର ନେଇ ଘରକୁ ଯାଉଛନ୍ତି।
୨୦ ଏପ୍ରିଲ ୨୦୨୬ ରେ ଚେନ୍ନାଇର ପୁଲିୟାନଥୋପେରେ କେଜ୍ରିୱାଲ, ଷ୍ଟାଲିନ୍ଙ୍କୁ ନିଜର ‘ଭାଇ’ ବୋଲି କହି ତାଙ୍କ ପାଇଁ ରୋଡ୍ ଶୋ’ କରିଥିଲେ। ସେ ବିଜେପିକୁ ‘ବିଭାଜନକାରୀ’ ବୋଲି କହିଥିଲେ। ସେ କହିଥିଲେ ଯେ, ତାମିଲନାଡୁର ଭୋଟର ବିଜେପିକୁ ଘୃଣା କରନ୍ତି। କିନ୍ତୁ ଆଜିର ଫଳାଫଳ ଅଲଗା କଥା କହୁଛି। ଷ୍ଟାଲିନ୍ ଓ ତାଙ୍କ ଦଳ ଡିଏମକେ କ୍ଷମତାରୁ ବିଦା ହେବା ଏକପ୍ରକାର ନିଶ୍ଚିତ ହୋଇ ସାରିଛି। ଏମିତିକି ସେ ନିଜ ଆସନ ମଧ୍ୟ ହାରିଛନ୍ତି। ଏଥିରୁ ଜଣା ପଡୁଛି ଯେ, କେଜ୍ରିୱାଲଙ୍କ ଇମୋସନାଲ ଅପିଲ ତାମିଲ ଜନତା ଉପରେ କିଛି ପ୍ରଭାବ ପକାଇ ପାରିନାହିଁ।
ସେହିଭଳି କୋଲକତା ଯାଇ କେଜ୍ରିୱାଲ ଟିଏମସି ପାଇଁ ପ୍ରଚାର କରିଥିଲେ। ଏପ୍ରିଲ 26 ଓ 27 ତାରିଖରେ ସେ ପଶ୍ଚିମବଙ୍ଗରେ ଥିଲେ। ସେଠାରେ ହାୱାଡାର ବାଲିଙ୍ଗଜରେ ଗୋଟିଏ ରାଲିକୁ ସମ୍ବୋଧନ କରି ସେ ବିଜେପି ଉପରେ ଆକ୍ରମଣ କରିଥିଲେ। ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ସୁରକ୍ଷାବଳର ମୁତୟନକୁ ସମାଲୋଚନା କରି କହିଥିଲେ ବିଜେପି ବଂଗଳା ସଂସ୍କୃତି ଉପରେ ଆକ୍ରମଣ କରୁଛି। କିନ୍ତୁ ଫଳ ଓଲଟା ହୋଇଛି। ପ.ବଙ୍ଗର ଭୋଟର ଦିଦିଙ୍କୁ କ୍ଷମତାରୁ ବେଦଖଲ କରିଛନ୍ତି। ସେମାନେ ଦାଦାଙ୍କୁ ବାଛିଛନ୍ତି।
ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ,କେଜ୍ରିୱାଲ ଏଯାଏଁ ବିଜେପି ବିରୋଧୀ ଚେହେରା ଭାବେ ଦେଶର ସ୍ୱୀକୃତି ହାସଲ କରି ପାରିନାହାନ୍ତି।