ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର ଏବେ ବିଜେପି ଆଡ଼େ ମନ ବଳାଇଥିବା ଅନୁମାନ କରାଯାଉଛି । ଜଣକ ପରେ ଜଣେ ବିଜେପିର ନେତା ଏବଂ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ତାଙ୍କର ଫଟୋ ଏହି ସନ୍ଦେହକୁ ଆହୁରି ଘନିଭୂତ କରିଛି । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା, ପରେ କେନ୍ଦ୍ର ପୀୟୂଷ ଗୋଏଲଙ୍କ ସହିତ ଫଟୋ ଫୋଷ୍ଟ କରିବା ଏବଂ ବର୍ତ୍ତମାନ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହିତ ଗୋଟିଏ ବିମାନରେ ପାଖାପାଖି ବସି ଯାତ୍ରା କରିବା ଶଶି ଥରରୁଙ୍କ ପରିବର୍ତ୍ତନଶୀଳ ମନୋଭାବକୁ ଆଡ଼କୁ ସଙ୍କେତ ଦେଉଛି ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଶଶି ଥରୁରଙ୍କ ସହିତ ଏକ ସେଲଫି ନେଇ ଫଟୋ ପୋଷ୍ଟ କରିଛନ୍ତି । ଉଭୟ ଗୋଟିଏ ବିମାନରେ ପାଖାପାଖି ସିଟରେ ବସି ଯାତ୍ରା କରୁଥିବାର ଦେଖାଯାଇଛି । ଶ୍ରୀଯୁକ୍ତ ପଣ୍ଡା ଲେଖିଛନ୍ତି, “ଆମେ ଶେଷରେ ଗୋଟିଏ ଦିଗରେ ଯାତ୍ରା କରୁଛୁ ବୋଲି କହିବାରୁ ମୋ ବନ୍ଧୁ ଏବଂ ସହଯାତ୍ରୀ ମୋତେ ଦୁଷ୍ଟ ବୋଲି କହିଥିଲେ...”। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ନିକଟରେ ଶଶି ଥରୁର ଦିଲ୍ଲୀର ଏକ ଆଲୋଚନାରେ କହିଥିଲେ ଯେ ୨୦୨୨ରେ ଋଷ-ୟୁକ୍ରେନ ଯୁଦ୍ଧ ଏବଂ ଭାରତର କୂଟନୀତିକୁ ସମାଲୋଚନା କରି ମୁଁ ଲଜ୍ଜିତ ।
ଏହା ପୂର୍ବରୁ ଶଶି ଥରୁର କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହିତ ଏକ ଫଟୋ ସେୟାର କରିଥିଲେ । ସେ ଲେଖିଥିଲେ ଯେ “ବ୍ରିଟେନର ବାଣିଜ୍ୟିକ ସଚିବ ଜୋନାଥନ ରେନୋଲ୍ଡସ୍, ଭାରତୀୟ ପ୍ରତିପକ୍ଷ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହ କଥା ହୋଇ ଭଲ ଲାଗିଲା । ଦୀର୍ଘ ଦିନ ଧରି ଅଟକି ରହିଥିବା FTA ଆଲୋଚନା ପୁନର୍ବାର ଆରମ୍ଭ ହୋଇଛି, ଯାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ”। ଶଶିଙ୍କ ଏହି ପୋଷ୍ଟକୁ ମଧ୍ୟ ଅନେକ ଆଲୋଡ଼ନ ସୃଷ୍ଟି କରିଥିଲା ।