ବାବୁ ଜଗଜୀବନ ରାମଙ୍କର ଆଜି ଜୟନ୍ତୀ। ୫ ଏପ୍ରିଲ ୧୯୦୮ରେ ବିହାରର ଏକ ଛୋଟ ଗାଁ ଚାନ୍ଦୱାରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କ କାମ ଯୋଗୁଁ ଲୋକେ ତାଙ୍କୁ ଶ୍ରଦ୍ଧାରେ 'ବାବୁଜୀ' ବୋଲି ଡାକୁଥିଲେ। ସେ ଏପରି ଜଣେ ନେତା ଥିଲେ ଯିଏ ନିଜର ସମ୍ପୂର୍ଣ୍ଣ ଜୀବନକୁ ସମାଜରେ ସମାନତା ଏବଂ ନ୍ୟାୟ ବିସ୍ତାର କରିବା ପାଇଁ ଉତ୍ସର୍ଗ କରିଦେଇଥିଲେ। ତାଙ୍କର ପ୍ରଶାସନିକ ଦକ୍ଷତା ଏବଂ ରାଜନୈତିକ କୌଶଳକୁ ଶତ୍ରୁମାନେ ମଧ୍ୟ ସ୍ୱୀକାର କରୁଥିଲେ। ୧୯୮୯ ପର୍ଯ୍ୟନ୍ତ କ୍ରମାଗତ ଭାବେ ସଂସଦର ସଦସ୍ୟ ରହିଥିବା 'ବାବୁଜୀ'ଙ୍କ ନାମରେ ସବୁଠାରୁ ଦୀର୍ଘ ସମୟ ଧରି ସାଂସଦ ରହିବାର ରେକର୍ଡ ଅଛି। ତଥାପି ଏହି କଥାର ଦୁଃଖ ତାଙ୍କ ପରିବାର ଏବଂ ସମର୍ଥକଙ୍କ ମନରେ ସବୁବେଳେ ରହିଛି ଯେ ଦେଶର ଯୋଗ୍ୟ ଏବଂ ପ୍ରଭାବଶାଳୀ ଦଳିତ ନେତା ଜଗଜୀବନ ରାମ ଦୁଇଥର ପ୍ରଧାନମନ୍ତ୍ରୀ ପଦର ନିକଟତର ହୋଇ ମଧ୍ୟ ସେଥିରୁ ମାତ୍ର 'ପାଦେ' ଦୂରରେ ରହିଗଲେ। ଆସନ୍ତୁ ଜାଣିବା ଏହାର କାହାଣୀ..
'ସିକ୍ରେଟ୍ ବ୍ୟାଲେଟ୍'ରେ ବାବୁଜୀଙ୍କ ବିଜୟ କିନ୍ତୁ ମଧୁ ଲିମୟେ....
ଘଟଣାଟି ୧୯୭୭ ମସିହାର, ଯେତେବେଳେ ଜରୁରୀକାଳୀନ ପରିସ୍ଥିତି ପରେ ଜନତା ପାର୍ଟି ବିପୁଳ ବହୁମତ ସହ କ୍ଷମତାକୁ ଆସିଲା। ପ୍ରଧାନମନ୍ତ୍ରୀ କିଏ ହେବେ? ମୋରାରଜୀ ଦେଶାଇ, ଜଗଜୀବନ ରାମ ଏବଂ ଚରଣ ସିଂହ ପ୍ରମୁଖ ଦାବିଦାର ଥିଲେ। ଏଭଳି ସ୍ଥିତିରେ ତିନିଜଣଙ୍କ ମଧ୍ୟରୁ କିଏ ପିଏମ୍ ହେବେ? ଏଥିପାଇଁ ବିଧିବଦ୍ଧ ଭାବେ ବିଜୟୀ ସାଂସଦମାନଙ୍କ ମଧ୍ୟରେ ସିକ୍ରେଟ୍ ଗୁପ୍ତ ମତଦାନ କରାଯାଇଥିଲା। ରାଜନୈତିକ ବିଶ୍ଳେଷକଙ୍କ ଅନୁସାରେ, ସେହି ସମୟରେ ବାବୁ ଜଗଜୀବନ ରାମଙ୍କୁ ସର୍ବାଧିକ ସାଂସଦଙ୍କ ସମର୍ଥନ ମିଳିଥିଲା। କିନ୍ତୁ, ଠିକ୍ ସେତିକି ବେଳେ ବରିଷ୍ଠ ସମାଜବାଦୀ ନେତା ମଧୁ ଲିମୟେ ବିରୋଧର ସ୍ୱର ଉତ୍ତୋଳନ କଲେ।
ମଧୁ ଲିମୟେ ଯୁକ୍ତି ବାଢ଼ିଲେ ଯେ ଜନତା ଯେଉଁ ଜନାଦେଶ ଦେଇଛନ୍ତି, ତାହା ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଦେଇଛନ୍ତି। ଏପରି ସ୍ଥିତିରେ ସେହି ବ୍ୟକ୍ତିଙ୍କୁ କିପରି ପ୍ରଧାନମନ୍ତ୍ରୀ କରାଯାଇପାରିବ, ଯିଏ ସଂସଦରେ 'ଜରୁରୀକାଳୀନ ପରିସ୍ଥିତି'ର ପ୍ରସ୍ତାବ ଆଗତ କରିଥିଲେ। ଯଦି ଜଗଜୀବନ ରାମଙ୍କୁ ପ୍ରଧାନମନ୍ତ୍ରୀ କରାଯାଏ, ତେବେ ଏହା ଜନାଦେଶର ଅପମାନ ହେବ, ଜନତାଙ୍କ ଅପମାନ ହେବ। ଏହାପରେ ସମସ୍ତ ସାଂସଦ ଚୁପ୍ ହୋଇଗଲେ।
ସୂଚନାଯୋଗ୍ୟ ଯେ, ଯେତେବେଳେ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ଜଗଜୀବନ ରାମ କଂଗ୍ରେସ ଦଳରେ ଥିଲେ। ସେ ହିଁ ସଂସଦରେ 'ଜରୁରୀକାଳୀନ ପରିସ୍ଥିତି'ର ପ୍ରସ୍ତାବ ଉପସ୍ଥାପନ କରିଥିଲେ। ପରେ ନିର୍ବାଚନ ପୂର୍ବରୁ ଜଗଜୀବନ ରାମ କଂଗ୍ରେସ ଛାଡ଼ି ଦେଇଥିଲେ।
ମଧୁ ଲିମୟେଙ୍କର ଏହି ଜିଦ୍ ଜଗଜୀବନ ରାମଙ୍କ ରାସ୍ତା ଅଟକାଇ ଦେଲା। ଫଳରେ ମୋରାରଜୀ ଦେଶାଇ ପ୍ରଧାନମନ୍ତ୍ରୀ ହେଲେ ଏବଂ ଜଗଜୀବନ ରାମ ପ୍ରଧାନମନ୍ତ୍ରୀ କୁର୍ସିର ଅତି ନିକଟକୁ ଆସି ମଧ୍ୟ ପାଦେ ପଛରେ ରହିଗଲେ।
ନୀଲମ ସଞ୍ଜୀବ ରେଡ୍ଡୀଙ୍କ ନିଷ୍ପତ୍ତି ଯୋଗୁଁ ପିଏମ୍ ହେବାରୁ ବଞ୍ଚିତ ହେଲେ କି ଜଗଜୀବନ ରାମ?
ଜଗଜୀବନ ରାମଙ୍କ ଜୀବନରେ ଦ୍ୱିତୀୟ ଥର ମଧ୍ୟ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ଆସିଥିଲା। ଏହି ସୁଯୋଗ ୧୯୭୯ରେ ଆସିଥିଲା, ଯେତେବେଳେ ଚୌଧୁରୀ ଚରଣ ସିଂହଙ୍କ ସରକାର ଭାଙ୍ଗିବାକୁ ଯାଉଥିଲା। ଜନତା ପାର୍ଟି ବାବୁ ଜଗଜୀବନ ରାମଙ୍କ ନେତୃତ୍ୱରେ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କଲା। ସାଂସଦମାନଙ୍କ ସମର୍ଥନ ତାଙ୍କ ପକ୍ଷରେ ଥିଲା। ଇନ୍ଦିରା ଗାନ୍ଧୀ ଜାଣିଥିଲେ ଯେ ଯଦି ଜଗଜୀବନ ରାମ ପ୍ରଧାନମନ୍ତ୍ରୀ ହୋଇଯାଆନ୍ତି, ତେବେ ତାଙ୍କୁ କ୍ଷମତାରୁ ହଟାଇବା କଷ୍ଟକର ହୋଇପଡ଼ିବ।
ଅନ୍ୟପକ୍ଷରେ, ସେତେବେଳର ରାଷ୍ଟ୍ରପତି ନୀଲମ ସଞ୍ଜୀବ ରେଡ୍ଡୀ ଜଗଜୀବନ ରାମଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ସୁଯୋଗ ଦେବା ପରିବର୍ତ୍ତେ ଲୋକସଭା ଭଙ୍ଗ କରିବା ଏବଂ ନିର୍ବାଚନ କରିବାକୁ ଘୋଷଣା କରିଦେଲେ। ଏହା ଭାରତୀୟ ଗଣତନ୍ତ୍ରର ସେହି ବିଡ଼ମ୍ବନା ଥିଲା ଯେ ଯେଉଁ ନୀଲମ ସଞ୍ଜୀବ ରେଡ୍ଡୀଙ୍କୁ ୧୯୬୯ରେ ଜଗଜୀବନ ରାମ ସାହାଯ୍ୟ କରିଥିଲେ, ତାଙ୍କର ହିଁ ଏକ ନିଷ୍ପତ୍ତି ତାଙ୍କୁ ଦେଶର ପ୍ରଥମ ଦଳିତ ପ୍ରଧାନମନ୍ତ୍ରୀ ହେବାରୁ ରୋକି ଦେଲା। ସୂଚନାଯୋଗ୍ୟ ଯେ, ନୀଲମ ସଞ୍ଜୀବ ରେଡ୍ଡୀ ଦେଶର ଷଷ୍ଠ ରାଷ୍ଟ୍ରପତି ଥିଲେ।