ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଖନଖଡଙ୍କ ବିରୋଧରେ ମଙ୍ଗଳବାର ଗୃହରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ବିରୋଧୀ ଇଣ୍ଡି ମେଣ୍ଟ । ଅନାସ୍ଥା ପ୍ରସ୍ତାବ ଉପରେ ୭୦ ସାଂସଦ ଦସ୍ତଖତ କରି ସାରିଛନ୍ତି । ରାଜ୍ୟସଭାର ଅଧ୍ୟକ୍ଷଙ୍କ କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ହୋଇ ବିରୋଧୀ ଦଳ ଧନଖଡଙ୍କ ବିରୋଧରେ ଅନୁଚ୍ଛେଦ ୬୭(ବି) ଆଧାରରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷଙ୍କ ଆଚରଣ ସେମାନଙ୍କୁ ଅନାସ୍ଥା ଆଣିବାକୁ ପ୍ରେରିତ କରିଥିବା ବିରୋଧୀ କହିଛନ୍ତି ।
ଏବେ ବଡ ପ୍ରଶ୍ନ ଉଠୁଛି କଣ ବିରୋଧୀଙ୍କ ଏହି ପ୍ରସ୍ତାବ ପରେ ଉପରାଷ୍ଟ୍ରପତିଙ୍କୁ ପଦରୁ ହଟାଯାଇ ପାରିବ । କଂଗ୍ରେସ ଓ ଅନ୍ୟ ଦଳ ମିଶି ଏହି ପ୍ରସ୍ତାବ ଆଣିଥିଲେ ହେଁ ଉପରାଷ୍ଟ୍ରପତିଙ୍କୁ ପଦରୁ ହଟାଇବା ସେତେ ସହଜ ନୁହେଁ ।
ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷ । ତାଙ୍କୁ ପଦରୁ ହଟାଇବା ପାଇଁ ପ୍ରସ୍ତାବ ଉପରେ ରାଜ୍ୟସଭାରେ ବହୁମତର ଆବଶ୍ୟକତା ରହିଛି । ପ୍ରସ୍ତାବକୁ ଲୋକସଭାରେ ମଧ୍ୟ ପାରିତ କରିବାକୁ ପଡିଥାଏ । ମାତ୍ର ଏହି ସବୁ ସେତେ ସହଜ ନୁହେଁ । ଲୋକସଭାରେ ଏନଡିଏର ୨୯୩ ଓ ଇଣ୍ଡି ମେଣ୍ଟର ୨୩୬ ସଦସ୍ୟ ରହିଛନ୍ତି । ସଂଖ୍ୟା ଗରିଷ୍ଠତା ୨୭୨ ରହିଛି । ଇଣ୍ଡି ମେଣ୍ଟନିଜ ସହିତ ୧୪ ଅନ୍ୟ ସଦସ୍ୟଙ୍କ ସମର୍ଥନ ଆଣିଲେ ମଧ୍ୟ ପ୍ରସ୍ତାବକୁ ପାରିତ କରିବା ମୁସ୍କିଲ ହେବ ।
ଉପରାଷ୍ଟ୍ରପତିଙ୍କୁ ରାଜ୍ୟସଭାର ଅଧ୍ୟକ୍ଷ ପଦରୁ ତେବେ ହଟାଯାଇ ପାରିବ ଯେବେ ଭାରତର ଉପରାଷ୍ଟ୍ରପତିଙ୍କୁ ପଦରୁ ହଟାଯିବ । ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୬୭ରେ ଉପରାଷ୍ଟ୍ରପତିଙ୍କ ନିଯୁକ୍ତି ଏବଂ ପଦରୁ ହଟାଯିବା ନେଇ ବିସ୍ତୃତ ସହ ଉଲ୍ଲେଖ ରହିଛି । ଏହା ଅନୁଯାୟୀ, ଉପରାଷ୍ଟ୍ରପତିଙ୍କୁ ରାଜ୍ୟସଭାର ସମସ୍ତ ତତ୍କାଳୀନ ସଦସ୍ୟଙ୍କ ବହୁମତ ଦ୍ୱାରା ପାରିତ କରାଯାଇ ଓ ଲୋକସଭାରେ ସଦସ୍ୟଙ୍କ ସହମତି ମାଧ୍ୟମରେ ହିଁ ପଦରୁ ହଟାଯାଇ ପାରିବ । କିନ୍ତୁ ଗୃହରେ ପ୍ରସ୍ତାବ ଉପସ୍ଥାପନ କରିବାକୁ ହେଲେ ୧୪ ଦିନ ପୂର୍ବରୁ ନୋଟିସ୍ ଦେବାକୁ ପଡିବ ।
ଜରୁରୀ ଏହିଛି ଏହି ନିୟମ ?
ଉପରାଷ୍ଟ୍ରପତିଙ୍କୁ ତାଙ୍କ ପଦରୁ ହଟାଯିବାର ପ୍ରସ୍ତାବ କେବଳ ରାଜ୍ୟସଭାରେ ଉପସ୍ଥାପନ କରାଯାଇ ପାରିବ । ଏହାକୁ ଲୋକସଭାରେ ଆଗତ କରାଯାଇ ପାରିବ ନାହିଁ ।
୧୪ ଦିନ ପୂର୍ବରୁ ନୋଟିସ୍ ଦେବା ପରେ ପ୍ରସ୍ତାବକୁ ଗୃହରେ ଉପସ୍ଥାପନ କରାଯାଇ ପାରିବ ।
ପ୍ରସ୍ତାବକୁ ରାଜ୍ୟସଭାରେ ବହୁମତ ଜରିଆରେ ପାରିତ କରାଯିବା ଉଚିତ୍ । ଲୋକସଭାରେ ସାଂସଦଙ୍କ ସାଧାରଣ ବହୁମତରେ ସହମତି ଆବଶ୍ୟକ ପଡିଥାଏ ।
ଯଦି ପ୍ରସ୍ତାବ ଗୃହରେ ବିଚାରଧୀନ ରହିଥାଏ ତେବେ ଉପରାଷ୍ଟ୍ରପତି ଗୃହର ଅଧ୍ୟକ୍ଷତା କରି ପାରିବେ ନାହିଁ ।