ସୁନାବେଡ଼ା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦ୍ୱିତୀୟ ଥର ପାଇଁ ନୂଆପଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ରୋଡ୍ ଶୋ କରୁଛନ୍ତି । କିନ୍ତୁ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମାଓ ପ୍ରବଣ ତଥା ଉପାନ୍ତ ଅଞ୍ଚଳ ସୁନାବେଡ଼ା ଗସ୍ତ କରିଛନ୍ତି । ଏହା ଇତିହାସରେ ପ୍ରଥମ ଯେ ଜଣେ ମୁଖ୍ୟମନ୍ତ୍ରୀ ସୁନାବେଡ଼ା ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ସେଠାରେ ସାଧାରଣ ସଭାରେ ଯୋଗ ଦେବା ସହିତ ଲୋକଙ୍କ ସହିତ ସିଧାସଳଖ ମିଶି ସେମାନଙ୍କ ଅଭିଯୋଗ ଶୁଣିଛନ୍ତି । ଏହା ସହିତ ମୋହନ ନବୀନଙ୍କୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି । ଯିଏ ୨୪ ବର୍ଷ ଶାସନରେ ରହି ଓଡ଼ିଆ କହିପାରିଲେ ନାହିଁ କିମ୍ବା ପଛୁଆ ବର୍ଗଙ୍କ ଭାବନାକୁ ଜାଣିପାରିଲେ ନାହିଁ ।
ମୁଖ୍ୟମନ୍ତ୍ରୀ ଗୋଟମା ଏୟାରଷ୍ଟ୍ରିପରେ ପହଁଚିବା ପରେ ପ୍ରଥମେ ସୁନାବେଡ଼ା ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଆକାଶ ଦାସନାୟକ, ପ୍ରଭାରୀ ବିଜୟପାଲ ସିଂ ତୋମର୍ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଗସ୍ତ କରିଛନ୍ତି । ପ୍ରତ୍ୟକ୍ଷ ଦେବୀ ମା ସୁନାଦେଈଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିବା ପରେ ସାଧାରଣ ସଭାରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ବିଭିନ୍ନ ସ୍ଥାନରେ ସାହି ମାନଙ୍କରେ କଂକ୍ରିଟ୍ ରାସ୍ତା ନାହିଁ । ସେହିପରି ଅନେକ ଲୋକଙ୍କ ପାଖେ ରାସନ କାର୍ଡ ନାହିଁ । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା ଥିବାବେଳେ ହାଇସ୍କୁଲ ସୁବିଧା ନାହିଁ । ସୁନାବେଡ଼ାରେ ଗମନାଗମନ ସୁବିଧା ସହିତ ହାଇସ୍କୁଲ ଖୋଲିବ ଏବଂ ଆବଶ୍ୟକ ହେଲେ ପରବର୍ତ୍ତୀ ସମୟରେ କଲେଜ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ନିର୍ବାଚନ ଶେଷ ହେବା ପରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ସମସ୍ତ ଅଭିଯୋଗ ସମାଧାନ କରିବାକୁ ଚେଷ୍ଟା କରାଯିବ । ଜଣେ ଆଦିବାସୀ ନେତା ହିସାବରେ ପାହାଡ଼ ଉପରେ ଥିବା ଆଦିବାସୀ ଭାଇ ଭଉଣୀଙ୍କ ସର୍ବାଙ୍ଗୀନ ବିକାଶ ପରମ ଧର୍ମ, କହିଛନ୍ତି ମୋହନ ।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ମୋହନ କହିଛନ୍ତି ଯେଉଁମାନେ ଏଠାକୁ କେବଳ ରାଜନୀତି ପାଇଁ ନିର୍ବାଚନ ସମୟରେ ଆସନ୍ତି, ସେମାନଙ୍କୁ ଥରେ ପ୍ରଶ୍ନ କରନ୍ତୁ, ୨୪ ବର୍ଷରେ କାହିଁକି ପାଣି, ବିଜୁଳି ପହଁଚି ପାରିନାହିଁ ଏବଂ ରାସନ କାର୍ଡ଼ ମିଳି ନାହିଁ । ଯିଏ ୨୪ ବର୍ଷ ଶାସନରେ ବସିଲେ, ଓଡ଼ିଆ ଭାବନା ଜାଣି ପାରିଲେ ନାହିଁ, ଓଡ଼ିଆ କହିପାରିଲେ ନାହିଁ, ପଛୁଆ ବର୍ଗ ତଥା ଆଦିବାସୀଙ୍କ ନିକଟକୁ ଆସିଲେ ନାହିଁ । ସେମାନେ କେବେବି ପ୍ରକୃତ ସେବା କରିପାରନ୍ତି ନାହିଁ । ସୁନାବେଡ଼ାର ଉନ୍ନତି ନିଶ୍ଚିତ ଭାବରେ ହେବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ମୋହନ ।
ସେହିପରି ନୂଆପଡ଼ାର ଆଦିବାସୀ ଜନଜାତି ପ୍ରତି ଅବହେଳା ହୋଇଛି । ନବୀନ ବାବୁ ଆଦିବାସୀଙ୍କ ପ୍ରତି ଅବହେଳା କରିଛନ୍ତି । ଖାଲି ଭୁବନେଶ୍ୱରରେ ରହି କହିଲେ ଆପଣମାନେ ଖୁସି ତ । ନବୀନ ବାବୁ ଯଦି ଏ ଅଞ୍ଚଳକୁ ଆସିବେ ତେବେ କି ଭାଷାରେ କହିବେ । କେବଳ ଇଂଲିଶରେ କହିବେ । ୩୦ ବର୍ଷ ହେଲା ଆସି ଓଡ଼ିଆ ଶିଖିପାରିଲେନି । ମୁଁ ଆଦିବାସୀ ପରିବାରର, ତେଣୁ ମୁଁ ଆଦିବାସୀଙ୍କ ଦୁଃଖ ବୁଝିପାରୁଛି ବୋଲି କହିଛନ୍ତି ମୋହନ ।