ମୁୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଦାଦା ଭାବେ ପରିଚିତ ତଥା ବାରାମତିର ସବୁଠୂ ବଡ ନେତା ଅଜିତ ପାୱାର(୬୬)ଙ୍କ ବୁଧବାର ସକାଳେ ବିମାନ ଦୁର୍ଘଟଣାରେ ପ୍ରାଣହାନୀ ଘଟିଛି । ପୁଣେ ଜିଲ୍ଲାର ବାରାମତୀରେ ନିଜର ଗଢରେ ଅବତରଣ କରିବା ସମୟରେ ବିମାନ କ୍ରାଶ ହୋଇଥିଲା । ଏଥିରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ପୂରା ମହାରାଷ୍ଟ୍ର ରାଜନୀତିକୁ ସ୍ତବ୍ଧ କରି ଦେଇଛି । ଅଜିତ ପାୱାର କେବଳ ମାତ୍ର ଏକ ନେତା ନ ଥିଲେ, ବରଂ ପ୍ରଶାସନରେ ତାଙ୍କର ସ୍ଥିତି ବେଶ ମଜବୁତ ଥିଲା । ସେ ନିର୍ଭୀକ ଅନ୍ଦାଜ ପାଇଁ ମଧ୍ୟ ପରିଚିତ ଥିଲେ ।
ତାଙ୍କର ବିୟୋଗ ପରେ ସବୁଠୁ ବଡ ପ୍ରଶ୍ନ ଅଜିତ ପାୱାରଙ୍କ ଉତ୍ତରାଧିକାରୀ କିଏ ହେବ ? କଣ ଏହି ଦାୟିତ୍ୱ ତାଙ୍କ ପତ୍ନୀ ସୁନେତ୍ରା ପାୱାର ସମ୍ଭାଳିବେ ନା ପୁଅ ପାର୍ଥ ଓ ଜୟ ପାୱାରଙ୍କ କାନ୍ଧକୁ ଆସିବ । ଚାଲନ୍ତୁ ଜାଣିବା ତାଙ୍କ ପରିବାରର ପୂରା ସମୀକରଣ
ମାତା-ପିତା
ପିତା- ଅନନ୍ତରାଓ ପାୱାର(ଦିବଙ୍ଗତ) । ସେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ଭି ଶାନ୍ତାରାମଙ୍କ ସହିତ କାମ କରିଥିଲେ । ସେ ଶରଦ ପାୱାରଙ୍କ ବଡ ଭାଇ ଥିଲେ ।
ମାତା- ଆଶାତାଇ ପାୱାର(ଜୀବିତ)
ପତ୍ନୀ ଓ ପିଲା
ପତ୍ନୀ ସୁନେତ୍ରା ପାୱାର ଏକ ସାମାଜିକ କର୍ମୀ ଏବଂ ରାଜ୍ୟସଭା ସାଂସଦ । ସେ ପୂର୍ବତନ ମନ୍ତ୍ରୀ ପଦ୍ମସିଂ ପାଟିଲଙ୍କ ଭଉଣୀ ।
ପୁଅ ପାର୍ଥ ପାୱାର ରାଜନୀତିରେ ସକ୍ରିୟ ଏବଂ ୨୦୧୯ରେ ମାବଲ ନିର୍ବାଚନ କ୍ଷେତ୍ରରୁ ଲୋକସଭା ନିର୍ବାଚନ ଲଢି ସାରିଛନ୍ତି । ଦ୍ୱିତୀୟ ପୁଅ ଜୟ ପାୱାର ମୁଖ୍ୟତଃ ପାରିବାରିକ ବ୍ୟବସାୟ ସମ୍ଭାଳୁଛନ୍ତି ।
ଭାଇ-ଭଉଣୀ
ଭାଇ- ଶ୍ରୀନିବାସ ପାୱାର ଜଣେ ବ୍ୟବସାୟୀ ।
ଭଉଣୀ- ବିଜୟ ପାଟିଲଙ୍କ ନିଧନ ହୋଇ ସାରିଛି ।
ସୁନେତ୍ରା ପାୱାର ପ୍ରବଳ ଦାବିଦାର
ଅଜିତ ପାୱାରଙ୍କ ପରେ ଯଦି କୌଣସି ନାଁ ସର୍ବପ୍ରଥମେ ରହିଥାଏ ସେ ହେଉଛି ତାଙ୍କ ପତ୍ନୀ ସୁନେତ୍ରା ପାୱାର । ସୁନେତ୍ରା ବର୍ତ୍ତମାନ ରାଜନୀତିରେ ସକ୍ରିୟ ଥିବା ସହ ରାଜ୍ୟସଭାର ସାଂସଦ ମଧ୍ୟ । ସେ ବାରାମତୀର ରାଜନୀତିରେ ଦୀର୍ଘ ସମୟ ଧରି ସକ୍ରିୟ ଅଛନ୍ତି । ସେ କେବଳ ଅଜିତ ପାୱାରଙ୍କ ପତ୍ନୀ ନୁହନ୍ତି ବରଂ ବାରାମତୀ ଟେକ୍ସଟାଇଲ ପାର୍କର ଅଧ୍ୟକ୍ଷା ଏବଂ ଏନଭାୟରମେଣ୍ଟ ଫୋରମ ଅଫ ଇଣ୍ଡିଆର ପ୍ରମୁଖ ମଧ୍ୟ । ୨୦୨୪ର ଲୋକସଭା ନିର୍ବାଚନରେ ମଧ୍ୟ ତାଙ୍କ ସକ୍ରିୟତା ଦେଖିବାକୁ ମିଳିଥିଲା ।
ପାର୍ଟିର ବରିଷ୍ଠ ନେତା ଏବଂ କର୍ମୀଙ୍କୁ ଏକଜୁଟ ରଖିବା ପାଇଁ ସୁନେତ୍ରା ପାୱାର ଏକ ସର୍ବସମ୍ମତି ଚେହେରା ହୋଇ ପାରନ୍ତି । ଅଜିତ ପାୱାରଙ୍କ ଭାବନାତ୍ମକ ଏବଂ ରାଜନୈତିକ ଭୋଟ୍ ବ୍ୟାଙ୍କ ସମ୍ଭାଳିବା ପାଇଁ ସେ ସବୁଠୁ ଉପଯୁକ୍ତ ବ୍ୟକ୍ତି ।
ପାର୍ଥ ପାୱାର, ମହତ୍ୱାକାଂକ୍ଷୀ ମାତ୍ର ରାସ୍ତା କଠିନ
ଅଜିତ ପାୱାରଙ୍କ ବଡ ପୁଅ ପାର୍ଥ ପାୱାର ରାଜନୀତରେ ନିଜର ସ୍ଥାନ ତିଆରି ପାଇଁ ଲମ୍ବା ସମୟ ଧରି ସଂଘର୍ଷ କରି ଚାଲିଛନ୍ତି । ପାର୍ଥ ୨୦୧୯ରେ ମାବଲ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ । ମାତ୍ର ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା । ସେ ଅଜିତ ପାୱାରଙ୍କ ରାଜନୀତିରେ ସକ୍ରିୟ ରହି ସହଯୋଗ କରି ଆସୁଛନ୍ତି । ପାର୍ଥ ପାୱାର ସର୍ବଦା ବିରୋଧୀଙ୍କ ଟାର୍ଗେଟରେ ଥାଆନ୍ତି । ଏହା ବାଦ୍ ତୃଣମୂଳ ସ୍ତରରେ କର୍ମୀଙ୍କ ସହିତ ତାଙ୍କର ମସନ୍ୱୟ ନାହିଁ । ମାତ୍ର ଜଣେ ଯୁବ ଚେହେରା ଏବଂ ପାର୍ଟିର ଗୋଟିଏ ଗୋଷ୍ଠୀର ସମର୍ଥନ ତାଙ୍କ ସହିତ ଥାଇପାରେ ।
ଜୟ ପାୱାର- ଡାର୍କ ହର୍ସ କିମ୍ବା ଭବିଷ୍ୟତର ନେତା ?
ଅଜିତ ପାୱାରଙ୍କ ଛୋଟ ପୁଅ ଜୟ ପାୱାର ଏ ପର୍ଯ୍ୟନ୍ତ ସକ୍ରିୟ ରାଜନୀତିରୁ ଦୂରରେ ରହି ଆସିଛନ୍ତି । ମାତ୍ର ପରଦା ପଛରେ ରଣନୀତିରେ ସେ ବେଶ ମାହିର । ଜୟ ପାୱାର ଅଧିକାଂଶ ପାରିବାରିକ ବ୍ୟବସାୟ ଓ ବାରାମତୀର ସ୍ଥାନୀୟ ଆୟୋଜନରେ ନଜର ଆସିଥାନ୍ତି । ନିକଟରେ ତାଙ୍କ ବିବାହ ଋତୁଜା ପାର୍ଟିଲଙ୍କ ସହ ହୋଇଥିଲା ଯିଏ ରାଜନୈତିକ ପରିବାରରୁ ଆସିଛନ୍ତି । ଅଜିତ ପାୱାର ସର୍ବଦା ଜୟଙ୍କୁ ଅନେକ କାର୍ଯ୍ୟକ୍ରମରେ ନେଇ କି ଯାଇଥାନ୍ତି । ଅନେକ ରାଜନୈତିକ ସମୀକ୍ଷକଙ୍କ କହିବା କଥା ପାର୍ଟିର ଏକ ବଡ ବର୍ଗ ଜୟ ପାୱାରଙ୍କ ନିକଟରେ ଅଜିତ ପାୱାରଙ୍କ ଛବି ନଜର ଆସିଥାଏ ।