ଭଙ୍ଗା ଚାଲିଛି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ । ୧୦ ରୁ ଉର୍ଦ୍ଧ୍ୱ ଶ୍ରମିକ ମିଶି ଘର ଭାଙ୍ଗୁଥିବା ଜଣା ପଡ଼ିଛି । ତେବେ କାହିଁକି ଏହି ଆଲିଶାନ ବଙ୍ଗଳାକୁ ଭଙ୍ଗାହେଉଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ତେବେ ସରକାରୀ ବଙ୍ଗଳାର ପ୍ରଥମ ମହଲାରେ ବୈଠକ ହେଉଥିବା ବେଳେ ଦ୍ୱିତୀୟ ମହଲାରେ ବବିଙ୍କର ରୁମ୍ ଥିଲା । ଏହା ସହ ତୃତୀୟ ମହଲାରେ ଦଳୀୟ ସାମଗ୍ରୀ ରହିଥିବା କୁହାଯାଉଛି । କ୍ୱାର୍ଟର୍ସ ପରିସରରେ ଦୁଇଟି ବଡ଼ କୋଠା ନିର୍ମାଣ କରାଯାଇଛିପ୍ରାୟ ୨ ହଜାର ବର୍ଗଫୁଟର ଷ୍ଟିଲ ଷ୍ଟ୍ରକଚର ନିର୍ମାଣ କରାଯାଇଛି।
ତେବେ କେଉଁ ଉଦ୍ଦେଶ୍ୟରେ ସରକାରୀ ଘରେ ଏତେ ବଡ଼ ନିର୍ମାଣ ହୋଇଥିଲା? ଏହି ନିର୍ମାଣ ପାଇଁ କିଏ ଦେଇଥିଲା ଅନୁମତି? ବର୍ତ୍ତମାନ ପ୍ରମାଣ ନଷ୍ଟ ପାଇଁ ଚାଲିଛି କି ଭଙ୍ଗାରୁଜା? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚା ଚାଲିଛି କିନ୍ତୁ ଏହାର କୌଣସି ସ୍ପଷ୍ଟୀକରଣ ମିଳିନାହିଁ ।
ବବି ଏଥର ନିର୍ବାଚନ ହାରିଯାଇଛନ୍ତି ତେଣୁ ବବି ଦାସ ବର୍ତ୍ତମାନ କୌଣସି ପଦପଦବୀରେ ନାହାଁନ୍ତି, ଏହା ସହ ତାଙ୍କୁ ସେହି ଘର ମଧ୍ୟ ଛାଡ଼ିବାକୁ ପଡ଼ିପାରେ ।
ଅନ୍ୟପଟେ ବବି ପ୍ରତିକ୍ରିୟା ଦେଇ କହିଛନ୍ତି କ୍ୱାର୍ଟରର ପୂର୍ବ ଅବସ୍ଥା ଫେରାଇ ଆଣିବା ପାଇଁ କ୍ୱାର୍ଟର ଭଙ୍ଗା ଯାଉଛି। ନିୟମ ରହିଛି ଯେମିତି ଥାଏ ସେମିତି ଫେରାଇବା କଥା ତେଣୁ ଭଙ୍ଗା ଯାଉଛି।
ସେପଟେ ଖବର ପରେ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ବବିଙ୍କ ଘର ଭିତରେ ବୁଲିଛନ୍ତି ଜିଏ ଅଧିକାରୀ ଏବଂ କହିଛନ୍ତି ମୂଳ କ୍ୱାର୍ଟର୍ସ ଯାହା ଯେମିତି ଥିଲା, ସେମିତି ରହିଛି କିନ୍ତୁ ନିର୍ମାଣ କରାଯାଇଥିବା ଏହି ଷ୍ଟ୍ରକଚର ପାଇଁ ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ ହେବ ।