ପଞ୍ଚାୟତ ନିର୍ବାଚନ ପାଇଁ ଜାନୁଆରୀ ୧୦ ରେ ସର୍ବଦଳୀୟ ବୈଠକ ଡାକିଲେ ନିର୍ବାଚନ କମିଶନ ଭୁବନେଶ୍ୱର, ଜାନୁଆରୀ ୦୪(ଖବର ଓଡିଶା): Share story: ପଞ୍ଚାୟତ ନିର୍ବାଚନ ପୁର୍ବରୁ ଜାନୁଆରୀ ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଓଡିଶାରେ ମାର୍ଚ୍ଚ ୨୦୨୨ ପୂର୍ବରୁ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ ଏହି ମାସରେ ସରକାରୀ ଘୋଷଣା କରାଯିବ। ତିନି ସ୍ତରୀୟ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ରାଜ୍ୟରେ ଖୁବ୍ ଶିଘ୍ର ନିର୍ବାଚନ ଆଚରଣବିଧି ଲାଗୁ ହେବ। ନିର୍ବାଚନ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଏବଂ ସମସ୍ତ ରାଜନୈତିକ ଦଳ ସହ ଆଲୋଚନା ପରେ ତାରିଖ ଘୋଷଣା କରାଯିବ ବୋଲି ପୁର୍ବରୁ ନିର୍ବାଚନ କମିଶନ ସୂଚନା ଦେଇଥିଲେ। ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ମୋଟ ୮୫୩ ଟି ଜିଲ୍ଲା ପରିଷଦ ସିଟ୍ରେ ମତଦାନ ହେବ। ଏହା ସହିତ ୯୧,୯୧୬ ୱାର୍ଡ ଏବଂ ୬,୭୯୪ ପଞ୍ଚାୟତ ପାଇଁ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ସଂଶୋଧିତ ବ୍ୟୟ ସୀମା ଅନୁଯାୟୀ, ଜିଲା ପରିଷଦ ସଦସ୍ୟ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ପ୍ରାର୍ଥୀ ବର୍ତ୍ତମାନ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରନ୍ତି ଯେତେବେଳେ ପଞ୍ଚାୟତ ସମିତି ସଦସ୍ୟ ତଥା ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଖବର ଓଡ଼ିଶା, Reporter, 04/01/2022