ଭୁୁବନେଶ୍ୱର: ନିଲମ୍ବନ ଓ ବହିଷ୍କାର ନିଷ୍ପତ୍ତି ପ୍ରତ୍ୟାହାର ପରେ କଂଗ୍ରେସକୁ ଫେରିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । ଦୀର୍ଘ ୯ ମାସ ପରେ ପୁଣି ଥରେ ତାଙ୍କର ଘର ବାହୁଡା ହୋଇଛି । ବିଧାନସଭା ନିର୍ବାଚନ ସମୟରେ ବିଜେଡି ପ୍ରାର୍ଥୀ ତଥା ସାନ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିବା ଏବଂ ବିଜେଡି ପ୍ରତି ଆନୁଗ୍ୟତ ଦେଖାଇବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ବିବାଦ ମଧ୍ୟରେ ମାର୍ଚ୍ଚ ୨୭ରେ କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଇଥିଲେ ସୁର ।
ଆଜି କଂଗ୍ରେସକୁ ଫେରିବା ପରେ ଭାବବିହ୍ୱଳ ହୋଇଛନ୍ତି ପୂର୍ବତନ ଜଟଣୀ ବିଧାୟକ ସୁର ରାଉତରାୟ । ଏହି ଅବସରରେ ସୁର କହିଛନ୍ତି, କଂଗ୍ରେସ ଭବନ ମୋର ମନ୍ଦିର । ୧୯୬୨ରୁ କଂଗ୍ରେସ ସହ ଅଛି । କଂଗ୍ରେସରୁ ଦୂରେଇ ମୁଁ ବହୁତ କଷ୍ଟ ପାଇଛି । ଆଜି କଂଗ୍ରେସକୁ ଫେରି ବହୁତ ଖୁସି । ଘରକୁ ଫେରିବା ପରି ଲାଗୁଛି । ଭକ୍ତ ଦାସ ନିଲମ୍ବନ ହଟାଇ ଥିବାରୁ ତାଙ୍କୁ ଧନ୍ୟବାଦ ।
ସୂଚନାଯୋଗ୍ୟ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ସୁରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ନୋଟିସରେ ସୁର ରାଉତରାୟ କାହିଁକି ପୁଅ ମନ୍ମଥ ରାଉତରାୟ ପାଇଁ ଭୋଟ୍ ମାଗୁଛନ୍ତି ବୋଲି ପ୍ରଶ୍ନ ହୋଇଥିଲା । ଏ ନେଇ ପିସିସି ସଭାପତି ଏହି ବରିଷ୍ଠ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ସେ ସମୟରେ ସୁରଙ୍କୁ ନେଇ କଂଗ୍ରେସର ରାଜନୀତି ଜୋର ଧରିଥିଲା ।
ସୂଚନାଯୋଗ୍ୟ, ଭକ୍ତ ଦାସ କଂଗ୍ରେସର ସଭାପତି ହେବା ପରେ ଦଳରୁ ସବୁ ନିଲମ୍ବନ ଓ ବହିଷ୍କାର ନିଷ୍ପତ୍ତି ପ୍ରତ୍ୟାହାର କରିଥିଲେ । ଏହା ସହିତ ସେ ଦଳ ଛାଡିଥିବା ନେତା ଓ କର୍ମୀଙ୍କୁ ଫେରି ଆସିବାକୁ ଅପିଲ୍ କରିଥିଲେ ।