ଏ ବର୍ଷ ବି ହେବନାହିଁ ଛାତ୍ର ସଂସଦ ନିର୍ବାଚନ । ରାଜ୍ୟ ସରକାର କ୍ରମାଗତ ଭାବେ ଷଷ୍ଠ ଥର ପାଇଁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ କଥା ଉଲ୍ଲେଖ ନାହିଁ । ଯାହାକୁ ନେଇ ଚାରିଆଡେ ଅସନ୍ତୋଷ ଦେଖାଦେଇଛି ।
ସୂଚନା ଅନୁଯାୟୀ , ୨୦୧୮ରେ ବାତ୍ୟା ତିତିଲି ପାଇଁ ଅଧାରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଥିଲା । ତା’ପରେ ନିର୍ବାଚନ ଯୋଗୁ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି ହେଉଥିବା ନେଇ ୨୦୧୯ରେ ବିଶ୍ୱ ବିଦ୍ୟାଳୟ କୁଳପତି, ସରକାରୀ ଡିଗ୍ରି କଲେଜ, ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟକ୍ଷମାନେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ସ୍ଥିର ହୋଇଥିଲା । ଛାତ୍ର ସଂସଦ ନିର୍ବାଚନ ନ କରାଯିବାକୁ ନେଇ ବିଭିନ୍ନ ଛାତ୍ର ସଂଗଠନର ଅସନ୍ତୋଷ ଜାରିକରିଛନ୍ତି । ତେଣୁ ଏହି କ୍ରମରେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଘେରାଉ କରାଯାଇଥିଲା। ତା’ ସହିତ ତାଙ୍କ ବାସଭବନ ଉପରକୁ ଅଣ୍ଡାମାଡ଼ କରାଯାଇଥିଲା । ଏଥିସହ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ଓ ଛାତ୍ର କଂଗ୍ରେସ ନେତା ଓ ସଦସ୍ୟମାନେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଭିତରକୁ ଧସେଇ ପଶିବାକୁ ପ୍ରୟାସ କରିଥିଲେ। ତେବେ ପୁଲିସ ସେମାନଙ୍କୁ ବାଧା ଦେଇଥିଲା। ପରେ ସେଠାରୁ ପୋଲିସ ଛାତ୍ର କଂଗ୍ରେସ ନେତାଙ୍କୁ ସେଠାରୁ ଉଠାଇ ନେଇଥିଲା ।