ଡେରିରେ ହେଉ ପଛେ ଚେତା ପଶିଛି କି ବିଜେଡିର । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଦଳର ଅଫିସିଆଲ ମୋବାଇଲ୍ ଆପ୍ଲିକେସନ ‘ଶଙ୍ଖ’ ଆପ୍ ମାଧ୍ୟମରେ ‘ହିରୋ’ ଦର୍ଶାଇବାକୁ ସବୁବେଳେ ଚେଷ୍ଟା କରୁଥିବା ପ୍ରୟାସରୁ ବିଜେଡି ସାମାନ୍ୟ ବିରତ ହୋଇଛି କି ବିଜେଡି । ପାଣ୍ଡିଆନଙ୍କ ରାଜନୀତିକ ବ୍ରାଣ୍ଡିଂ ପାଇଁ ‘ଶଙ୍ଖ’ ଆପରେ ତାଙ୍କର ଫଟୋଚିତ୍ରକୁ ବହୁଳ ଭାବେ ସାମିଲ କରାଯାଇଥିଲା ବେଳେ ମଙ୍ଗଳବାର ପୂର୍ବାହ୍ନରେ ଦଳ ନିଜର ଏହି ‘ଶଙ୍ଖ’ ଆପ୍ରେ ଥିବା ପାଣ୍ଡିଆନଙ୍କ ଫଟୋଚିତ୍ରକୁ ହଟାଇ ଦେଇଛି ।
ସୂଚନା ଅନୁସାରେ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଦଳ ପକ୍ଷରୁ ଚାଲିଥିବା ନିର୍ବାଚନମଣ୍ଡଳୀରେ ଦଳୀୟ ସକ୍ରିୟ କର୍ମୀମାନଙ୍କୁ ପ୍ରଶିକ୍ଷଣ ଶିବିରରେ ‘ଶଙ୍ଖ’ ମୋବାଇଲ୍ ଆପ୍କୁ ନିଜ ସ୍ମାର୍ଟଫୋନରେ ଡାଉନଲୋଡ୍ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ତୃଣମୂଳସ୍ତରରେ ଅଧିକ ସଂଖ୍ୟକ ଦଳୀୟ କର୍ମୀ ଓ ସାଧାରଣ ଲୋକେ ଯେପରି ଏହି ଆପ୍ ଡାଉନଲୋଡ୍ କରିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶିକ୍ଷଣ ନେଉଥିବା ଦଳୀୟ ସକ୍ରିୟ କର୍ମୀମାନଙ୍କୁ ତାଗିଦ୍ କରାଯାଇଛି । ତେବେ ବିଜେଡିର ଏହି ‘ଅଫିସିଆଲ ମୋବାଇଲ ଆପ୍ ’ରେ ଜଣେ ବି ବିଜେଡି ନେତା-ମନ୍ତ୍ରୀଙ୍କ ଫଟୋଚିତ୍ର ସାମିଲ ନକରି ପାଣ୍ଡିଆନଙ୍କ ଫଟୋଚିତ୍ରକୁ ଦଳୀୟ ଆପରେ ମାତ୍ରାଧିକ ଗୁରୁତ୍ୱ ଦେବା ବିଜେଡି ମହଲରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ଏପରିକି ବିଜେଡି ନିଜର ଏହି ମୋବାଇଲ୍ ଆପ୍ ରେ ଅଗଷ୍ଟ ୨୮ତାରିଖରେ ପ୍ରଥମ ବ୍ୟାନର ପୋଷ୍ଟ କରିଥିଲା, ଯେଉଁଥିରେ ସିଏମଓ ଦ୍ୱାରା ବିକାଶର ନନଷ୍ଟପ୍ ସମୀକ୍ଷା ହେଉଥିବାର ଆଳ ଦେଖାଇ ପରୋକ୍ଷରେ ନବୀନଙ୍କ ତୁଳନାରେ ପାଣ୍ଡିଆନଙ୍କୁ ରାଜନୈତିକ ବ୍ରାଣ୍ଡିଂ ସହ ହିରୋ କରିବାକୁ ପ୍ରୟାସ ହୋଇଥିଲା । ଏପରିକି ଏହି ମୋବାଇଲ ଆପରେ ନବୀନ ପଟ୍ଟନାୟକ ସରକାରଙ୍କ ସଫଳତା ଉଲ୍ଲେଖ ଥିବା ୫ଟି ବ୍ୟାନର ପୋଷ୍ଟ ହୋଇଥିଲାବେଳେ ସେଥିରୁ ୨ଟି ବ୍ୟାନରକୁ ହଟାଇ ଦିଆଯାଇଛି । ପାଣ୍ଡିଆନଙ୍କ ୧୦ଟି ଫଟୋଚିତ୍ର ଥିବା ବିକାଶ କାର୍ଯ୍ୟର ସମୀକ୍ଷା ସଂକ୍ରାନ୍ତ ଅଗଷ୍ଟ ୨୮ତାରିଖର ବ୍ୟାନରକୁ ଆଜି ସକାଳେ ଏବଂ ନବୀନଙ୍କ ଫଟୋଚିତ୍ର ଥିବା ଚାଷୀଙ୍କୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରିହାତି ସଂକ୍ରାନ୍ତ ସେପ୍ଟେମ୍ବର ୫ତାରିଖର ବ୍ୟାନରକୁ ମଙ୍ଗଳବାର ଅପରାହ୍ନରେ ହଟାଇ ଦିଆଯାଇଛି । ତେବେ ପାଣ୍ଡିଆନଙ୍କ ଫଟୋଯୁକ୍ତ ବ୍ୟାନରକୁ ଦଳୀୟ ଆପରେ ସାମିଲ ପାଇଁ କିଏ ଅନୁମତି ଦେଇଥିଲେ କିନ୍ତୁ ପୁଣି କାହା ନିର୍ଦ୍ଦେଶରେ ଏହା ହଟାଇ ଦିଆଗଲା ତାହା ଜଣାପଡ଼ିନି । ତେବେ ଏହାପରେ ଏହି ଆପରେ ‘ବିଜୁ ସ୍ୱାସ୍ଥ୍ୟ କାର୍ଡ’ର ସଫଳତା ସଂକ୍ରାନ୍ତ ବ୍ୟାନରକୁ ସାମିଲ କରାଯାଇଛି । ତେବେ ପୂର୍ବରୁ ବିଜେଡିର ଏହି ନିଜସ୍ୱ ଆପରେ ଥିବା ବ୍ୟାନରଗୁଡ଼ିକରେ ଲାଇକ୍ ଓ ସେୟାର ପରିମାଣ ୧୦୦ ବି ଟପି ନଥିବାବେଳେ ଆଜି ଏହା ୩୦୦ରୁ ୫୦୦ ମଧ୍ୟରେ ରହିଛି ।
ବିଜେଡି ରାଜନୀତି ସେତିକିରେ ସରିନି ଗତକାଲି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ଉପସଭାପତି ପଦରୁ ବିଦା କରିଛି ବିଜେଡି । ସୌମ୍ୟ ଗଲା କିଛିଦିନ ହେବ ନିଜର ଖବର କାଗଜର ସମ୍ପାଦକୀୟ ପୃଷ୍ଠାରେ 5ଟି ସଚିବ ଙ୍କୁ ନେଇ ବହୁବାର ଟାର୍ଗେଟ କରୁଥିଲେ । ଫାଇଭ-ଟି ସଚିବ କୋଟି କୋଟି ଟଙ୍କା ଖର୍ଚ୍ଚ କରି ହେଲିକପ୍ଟରରେ ବୁଲିବାକୁ ନେଇ ପ୍ରଶ୍ନ ଉଠାଇ ଥିଲେ । ସଚିବଙ୍କ ଗସ୍ତ ଦ୍ୱାରା ସାଧାରଣ ଲୋକଙ୍କର କଣ ଲାଭ ହେଉଛି ତାହା ଜାଣି ହେଉନଥିବା ଆଲେଖ୍ୟରେ ଉଲେଖ କରିଥିଲେ । ହୁଏତ ବିଜେଡି ଏହାକୁ ସହଜରେ ହଜମ କରି ନପାରି ସୌମ୍ୟଙ୍କୁ ବିଦା କରିଛି ।
ତେବେ ଦେଖିବାକୁ ବାକି ରହିଲା ବିଜେଡି 5ଟି ଭିକେ ପାଣ୍ଡିଆନଙ୍କ ଫଟୋକୁ ଶଙ୍ଖ ଆପ ରୁ ହଟାଇବା ଏକ ଭେଳିକି ନ ଆଉ କ'ଣ ...
ଅଧିକ ପଢନ୍ତୁ:- ବିଜୁ ଜନତା ଦଳର ଉପ-ସଭାପତିରୁ ହଟିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ