ଭୁବନେଶ୍ଵର: ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ବିରୋଧୀ ଦଳ ନବୀନ ପଟ୍ଟନାୟକଙ୍କ ରାଜ୍ୟ ସରକାରଙ୍କୁ ଶାଣିତ ସ୍ଵରରେ ସମାଲୋଚନା କରିଛନ୍ତି । ନବୀନ କହିଛନ୍ତି ରାଜ୍ୟପାଳ ନିଜ ଅଭିଭାଷଣରେ ସରକାରଙ୍କ ବିଫଳତା ଲୁଚାଇବାକୁ ଚେଷ୍ଟା କରିଛନ୍ତି। ପୂର୍ବ ସରକାରର ସଫଳତାର ଶ୍ରେୟ ନେବାକୁ ଚେଷ୍ଟା ହୋଇଛି।
ବିରୋଧୀ ଦଳ ନେତା କହିଛନ୍ତି, ଶ୍ରେୟ ନେବା ବଦଳରେ ଡବଲ ଇଂଜିନ ସରକାର ଦରଦାମ ବୃଦ୍ଧି, ଆଇନ ଶୃଙ୍ଖଳା ଭୁଶୁଡିବା ଓ ନିଯୁକ୍ତି ଉପରେ ଫୋକସ ଦେବାର ଥିଲା । ଲୋକଙ୍କ ପାଇଁ ତାଙ୍କ ଅଭିଭାଷଣ ହେବାର ଥିଲା। ବିଜେପି ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ବହୁ ପ୍ରତିଶୃତି ଦେଇଥିଲା । ଏପରିକି ଧାନ କିଣା ସମୟରେ କଟଣୀ ଛଟଣି ହେବନି ବୋଲି କହିଲେ। ହେଲେ ସେ ସମୟରେ ଏବଂ ଏବେ ସରକାରକୁ ଆସିବା ପରେ କଥା ବହୁ ଭିନ୍ନ ରହିଲା। ଛାତିରେ ହାତ ରଖି କହି ପାରିବେ କି କଟନୀ ଛଟଣି ହେଉନି। ଚାଷୀଙ୍କୁ ପ୍ରତାରଣା ଦିଆଯାଇଛି ଏବଂ ସେମାନଙ୍କୁ ରାସ୍ତାରେ ଛାଡ଼ି ଦିଆଯାଇଛି।ସେମାନେ ଆତ୍ମହତ୍ୟା କରୁଛନ୍ତି ବୋଲି ଗୃହରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ନବୀନ କହିଛନ୍ତି, ଏ ପର୍ୟ୍ୟନ୍ତ ଚାଷୀଙ୍କୁ ଅଦିନିଆ ବର୍ଷାର କ୍ଷତିପୂରଣ ମିଳିନି। ବିଜେଡି ପ୍ରକୃତ ଚାଷୀଙ୍କୁ ସୁବିଧା ଦେଉଥିଲା। ହେଲେ ବିଜେପି ସରକାର ଅସଲ ଚାଷୀଙ୍କ ଅଧିକାର ଛଡାଇ ନେଇଛି। ପ୍ରକୃତ ଚାଷୀକୁ ଅବହେଳା କରାଯାଉଛି। ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡିଛି। ନାରୀ ନିର୍ୟାତନା ଶୀର୍ଷରେ। ଚୋରି ଡକାୟତି ବଢିଛି। ରାଜଧାନୀ ବି ସୁରକ୍ଷିତ ନୁହେଁ। ଡବଲ ଇଂଜିନ ସରକାରରେ ଡବଲ ଚୋରି ହେଉଛି। ପୂର୍ବତନ ମନ୍ତ୍ରୀଙ୍କ ଘରୁ ଚୋରି ହେଉଛି ବୋଲି ବିରୋଧୀ ଦଳ ନେତା କହିଛନ୍ତି ।