ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ସ୍ମାର୍ଟ ସିଟି ଭୁବନେଶ୍ୱରବାସୀଙ୍କ ଜୀବନ ଅତ୍ୟନ୍ତ ଦୟନୀୟ ହୋଇପଡିଛି । ରାଜଧାନୀର ମଧ୍ୟବର୍ତୀ ଅଂଚଳରେ ଥିବା ଗାଡକଣସ୍ଥିତ ‘ଅସ୍ଥାୟୀ ଡମ୍ପିଂ ୟାର୍ଡ’ ଆଜି ‘ସ୍ଥାୟୀ ଡମ୍ପିଂ ୟାର୍ଡ’ରେ ପରିଣତ ହୋଇ କୃତ୍ରିମ ପାହାଡର ରୂପ ନେଇଛି । ଅଳିଆ ଆବର୍ଜନାପୂର୍ଣ୍ଣ ଏହି କୃତ୍ରିମ ପାହାଡରୁ ନିର୍ଗତ ଅସହ୍ୟ ର୍ଦୁଗନ୍ଧ କାରଣରୁ ସ୍ଥାନୀୟ ଗାଡକଣ, ରଙ୍ଗମାଟିଆ, ଡମଣା, ମଞ୍ଚେଶ୍ୱରବାସିନ୍ଦାଙ୍କ ଜୀବନ ଅତିଷ୍ଠ ହୋଇପଡିଛି । ଏହି ଅଂଚଳରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ସୈନିକ ସ୍କୁଲ, ଉତ୍କଳ ବିଶ୍ୱବିଦ୍ୟାଳୟ, ଇଷ୍ଟକୋଷ୍ଟ ରେଲୱେ ଅଫିସ, ମେଡିକାଲ, ସରକାରୀ ଓ ଘରୋଇ କଲୋନୀ, ଅପୋଲ ହସ୍ପିଟାଲ ରହିଛି। ସାଧାରଣ ଲୋକଙ୍କ ସମେତ ଶିଶୁ ଏବଂ ବୃଦ୍ଧବୃଦ୍ଧାମାନଙ୍କ ଉପରେ ତାଙ୍କର ଗଭୀର ପ୍ରଭାବ ପଡୁଥିବା ବେଳେ ଏହି ଦୁର୍ଗନ୍ଧରେ ସେମାନେ ଅସୁସ୍ଥ ହୋଇପଡୁଛନ୍ତି । ସେଥିପାଇଁ ବିଜେପି ପକ୍ଷରୁ ଟିଟିଏସ ସତ୍ୟାଗ୍ରହ କରାଯାଉଛି । ଗତ ଦୁଇ ଦିନ ଧରି ଏହି ସତ୍ୟାଗ୍ରହ ଜାରି ରହିଛି । ଏହି ସତ୍ୟାଗ୍ରହରେ ରାଜ୍ୟ ସରକାର ଏବଂ ବିଏମସି ବିରୋଧରେ ଲଢେଇ କରାଯାଉଛି । ଲୋକମାଙ୍କର ମୌଳିକ ବିଷୟରେ ଅବଗତ କରାଇବା ପାଇଁ ଲୋକମାନଙ୍କ ସହ ଏହି କାର୍ଯ୍ୟକ୍ରମ କରାଯାଇଛି । ଏହି ଦୁର୍ଗନ୍ଧ ସମସ୍ୟା ସମ୍ୱନ୍ଧରେ ପ୍ରଶାସନକୁ ବାର ବାର ଅବଗତ କରାଇବା ପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେଇ ଥିବାରୁ ତାଙ୍କୁ ଜାଗ୍ରତ କରିବା ପାଇଁ ବିଜେପି ତରଫରୁ ଏହି ପଦକ୍ଷେପ ନିଆଯାଇଛି ।