ରାହୁଲଙ୍କ ଇସ୍ତଫାକୁ ଅଗ୍ରାହ୍ୟ କଲା କାର୍ଯ୍ୟକାରୀ କମିଟି, ରହିବେ ସଭାପତି, କଂଗ୍ରେସ କହିଲା ଆପଣଙ୍କର ଆବଶ୍ୟକତା ରହିଛି
Khabar Odisha:Politics-odisha-rahul-gandhi-offers-his-resignation-at-cwc-but-not-been-accepted
ନୂଆଦିଲ୍ଲୀ,ମେ୨୫(ଖବର ଓଡ଼ିଶା):

 ଲୋକସଭା ନିର୍ବାଚନରେ ସମଗ୍ର ଦେଶରେ ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବାକୁ ପାର୍ଟିକୁ ପ୍ରସ୍ତାବ ଦେଇଥିଲେ, ମାତ୍ର ପାର୍ଟିର କାର୍ଯ୍ୟକାରୀ କମିଟି ତାଙ୍କର ଏହି ପ୍ରସ୍ତାବକୁ ଖାରଜ କରିବା ସହିତ ଅଧ୍ୟକ୍ଷ ପଦରେ ରହିବାକୁ ରାହୁଲଙ୍କୁ କହିଛନ୍ତି। ବୈଠକ ଶେଷ ହେବା ପରେ କଂଗ୍ରେସର ମିଡିଆ ପ୍ରଭାରୀ ରଣଦୀପ ସୁରଜେଓ୍ଵାଲା ଏହି ସୂଚନା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ସୁରଜେଓ୍ଵାଲା କହିଛନ୍ତି ଯେ, ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ କହିଥିଲେ, ମାତ୍ର କଂଗ୍ରେସର କାର୍ଯ୍ୟକାରୀ କମିଟିର ସମସ୍ତ ସଦସ୍ୟ ଏକସ୍ଵରରେ ଏବଂ ସର୍ବସମ୍ମତିରେ ରାହୁଲଙ୍କ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ସିଡବ୍ଲ୍ୟୁସି ସର୍ବସମ୍ମତି କ୍ରମେ ରାହୁଲ ସଭାପତି ରହିବେ ବୋଲି ନିଷ୍ପତ୍ତି ନେଇଛି। କାର୍ଯ୍ୟକାରୀ କମିଟି ପାର୍ଟିରେ ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ରହିଛି ଏବଂ ପାର୍ଟିକୁ ରାହୁଲ ଗାନ୍ଧୀଙ୍କ ନେତୃତ୍ଵର ଆବଶ୍ୟକତା ରହିଛି। ସୁରଜେଓ୍ଵାଲା କହିଛନ୍ତି ଯେ, କଂଗ୍ରେସ ୨୦୧୯ର ଜନାଦେଶକୁ ବିନମ୍ରତାର ସହିତ ସ୍ଵୀକାର କରୁଛି ଏବଂ ଦଳ ଏକ ଦାୟିତ୍ଵବାନ ସକରାତ୍ମକ ବିରୋଧୀର ଭୂମିକା ନିର୍ବାହ କରିବ।

କଂଗ୍ରେସର କାର୍ଯ୍ୟକାରୀ କମିଟିର ବୈଠକ ପରେ ମିଡିଆକୁ ସମ୍ବୋଧିତ କରି ସୁରଜେଓ୍ଵାଲା କହିଛନ୍ତି ଯେ, ବୈଠକରେ ପ୍ରସ୍ତାବ ପାରିତ କରାଯାଇଛି। କଂଗ୍ରେସ କାର୍ଯ୍ୟକାରୀ କମିଟି ୧୨.୧୩ କୋଟି ସାହସୀ ଓ ସଜାଗ ମତଦାତାଙ୍କୁ ଧନ୍ୟବାଦ ଦେଉଛି, ଯେଉଁମାନେ କଂଗ୍ରେସ ପାର୍ଟି ପ୍ରତି ନିଜର ବିଶ୍ଵାସ ବ୍ୟକ୍ତ କରିଛନ୍ତି। କଂଗ୍ରେସ ପାର୍ଟି ଏକ ଦାୟିତ୍ଵବାନ ଓ ସକରାତ୍ମକ ବିରୋଧୀ ଦଳ ରପେ ନିଜର କର୍ତ୍ତବ୍ୟ ନିର୍ବାହ କରିବ ଏବଂ ଦେଶବାସୀଙ୍କ ସମସ୍ୟାକୁ ସାମ୍ନାକୁ ଆଣି ସରକାରଙ୍କ ଉତ୍ତରଦାୟୀକୁ ସୁନିଶ୍ଚିତ କରିବ। 

ରାହୁଲଙ୍କ ଅଫିସ ଟିମ୍ ଉପରେ ପ୍ରଶ୍ନ

ସୂତ୍ର ମୁତାବକ, କାର୍ୟ୍ୟମକାରୀ କମିଟିର ବୈଠକରେ ରାହୁଲ ଗାନ୍ଧୀଙ୍କ ଟିମକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ବରିଷ୍ଠ ନେତା କହିଛନ୍ତି ଯେ, ଯଦି ଆପଣ ନୂତନ ଲୋକଙ୍କୁ ରଖିବାକୁ ଚାହୁଁଛନ୍ତି ତେବେ ପୁରୁଣାଙ୍କୁ ହଟାଇ ଦିଅନ୍ତୁ।  କିନ୍ତୁ ନିଜ  ଟିମରେ ରାଜନୈତିକ ଲୋକଙ୍କୁ ରଖନ୍ତୁ। କୁହାଯାଉଛି ଯେ, ରାହୁଲ ଗାନ୍ଧୀଙ୍କ ଦପ୍ତରରେ ଥିବା ସେହି ଲୋକମାନେ ନିଷ୍ପତ୍ତି ନିଅନ୍ତି, ଯାହାଙ୍କର ରାଜନୈତିକ ଜ୍ଞାନ ହିଁ ନାହିଁ।

ରାହୁଲଙ୍କୁ ବୁଝାଇଲେ ମନମୋହନ

ସୂତ୍ର ମୁତାବକ ରାହୁଲ ଗାନ୍ଧୀଙ୍କୁ ବୁଝାଇ ମନମୋହନ ସିଂହ କହିଛନ୍ତି ଯେ, ଅାପଣ ଇସ୍ତଫାର କଥା କୁହନ୍ତୁ ନାହିଁ। ଜୟ-ପରାଜୟ ଲାଗି ରହିଥାଏ, ମାତ୍ର ପାର୍ଟିର ନେତୃତ୍ଵ ପାଇଁ ଅାପଣଙ୍କ ବ୍ୟତୀତ ଅନ୍ୟ କୌଣସି ଦ୍ଵିତୀୟ ବିକଳ୍ପ ନାହିଁ। କେବଳ ଏତିକି ନୁହେଁ ରାହୁଲ ଗାନ୍ଧୀଙ୍କୁ ବୁଝାଇ ମନମୋହନ ସିଂହ କହିଛନ୍ତି ଯେ, ଇନ୍ଦିରା ଗାନ୍ଧୀ ଓ ସଞ୍ଜୟ ଗାନ୍ଧୀ ମଧ୍ୟ ନିର୍ବାଚନରେ ହାରିଥିଲେ, ମାତ୍ର ପୁଣି ଥରେ ପାର୍ଟି ପ୍ରତ୍ୟାବର୍ତ୍ତନ କରିଥିଲା। 

Subscribe

National International State Sports Entertainment