ଦେଓରିଆ, ଜାନୁଆରୀ ୧୮ (ଖବର ଓଡ଼ିଶା): କଂଗ୍ରେସର ଶ୍ଲୋଗାନ୍ ‘ମୁଁ ଝିଅ, ଲଢ଼ି ପାରିବି’। କିନ୍ତୁ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଡା. ପ୍ରିୟଙ୍କା ମୌର୍ଯ୍ୟଙ୍କୁ ଲଢ଼ିବାକୁ ଦିଆଗଲା ନାହିଁ। ପ୍ରିୟଙ୍କା ମୌର୍ଯ୍ୟଙ୍କ ଅଭିଯୋଗ ଯେ, କଂଗ୍ରେସର ମହିଳା ଘୋଷଣା ପତ୍ରର କଭର ପେଜର ସେଣ୍ଟରରେ, ତାଙ୍କର ଫଟୋ ଲଗାଯାଇ ତାଙ୍କୁ ଠକାଯାଇଛି। ଦେଓରିଆର ମହିଳା କଂଗ୍ରେସ ରାଜ୍ୟ ସଭାପତି ଶହଲା ଅହରାରୀ କହିଛନ୍ତି ଯେ, କେବଳ ଝିଅ, ଏଥି ପାଇଁ ଟିକେଟ ଦିଆଯାଉ, ଏହା ସମ୍ଭବ ନୁହେଁ।
ଶହଲା ଅହରାରୀଙ୍କ କହିବା ତାତ୍ପର୍ଯ୍ୟ ହେଲା, ଅନେକ ଲୋକ ଟିକେଟ ମାଗିଥାନ୍ତି। କିନ୍ତୁ କେବଳ ମହିଳା ନାଁରେ ସମସ୍ତଙ୍କୁ ଟିକେଟ ଦିଆଯିବା ସମ୍ଭବ ନୁହେଁ। ଆପଣଙ୍କର କାର୍ଯ୍ୟଶୈଳୀ କ’ଣ, ତାହା ମଧ୍ୟ ଦେଖିବାର ଅଛି। ଡାକ୍ତର ପ୍ରିୟଙ୍କାଙ୍କ ମାମଲାରେ ସବୁଠାରୁ ବଡ଼ ସମସ୍ୟା ଥିଲା ଯେ, ସେ ୩ ମାସ ପୂର୍ବରୁ କଂଗ୍ରେସ ସହିତ ଜଡ଼ିତ ହୋଇଛନ୍ତି।
ପ୍ରିୟଙ୍କା ମୌର୍ଯ୍ୟ ଜଣେ ଭଲ ମହିଳା। ସାମାଜିକ କର୍ମୀ। କିନ୍ତୁ ମହିଳାଙ୍କୁ ସବୁ ସ୍ଥାନରୁ ଟିକେଟ ଦିଆଯିବା ସମ୍ଭବ ନୁହେଁ। ଉତ୍ତର ପ୍ରଦେଶରେ ୪୦୩ ବିଧାନସଭା ଆସନ ରହିଛି। ପ୍ରତ୍ରେକ ଦଳରେ ଟିକେଟ ବଣ୍ଟନକୁ ନେଇ ଆରୋପ-ପ୍ରତ୍ୟାରୋପ ହୋଇଥାଏ। ଅନ୍ୟପଟରେ ପ୍ରିୟଙ୍କା ମୌର୍ଯ୍ୟ କହିଛନ୍ତି ଯେ, କଂଗ୍ରେସ ନିଜର ଓବିସି ମୁହଁକୁ ବ୍ୟବହାର କରୁଛି। ସେ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କୁ ଟିକେଟ ନ ଦେଇ ଅନ୍ୟକୁ ଦିଆଯାଇଛି। କିନ୍ତୁ ପ୍ରିୟଙ୍କାଙ୍କର ଅନେକ ଥର ସ୍କ୍ରିନିଂ ହୋଇଛି।