କୋହିମା, ଏପ୍ରିଲ ୩୦ (ଖବର ଓଡ଼ିଶା): ଦେଶର ପୂର୍ବୋତ୍ତର ରାଜ୍ୟ ନାଗାଲାଣ୍ଡରେ ରାଜନୈତିକ ସଂକଟ ଦେଖାଯାଇଛି । ରାଜ୍ୟରେ ବିରୋଧୀ ଦଳ ନାଗା ପିପୁଲ୍ସ ଫଣ୍ଟ (ଏନ୍ପିଏଫ)ର ୨୫ରୁ ୨୧ ଜଣ ବିଧାୟକ ଶୁକ୍ରବାର ନ୍ୟାଶନାଲିଷ୍ଟ ଡେମୋକ୍ରେଟିକ ପ୍ରୋଗ୍ରେସିଭ ପାର୍ଟି (ଏନଡିପିପି)ରେ ସାମିଲ ହୋଇଯାଇଛନ୍ତି । କେନ୍ଦ୍ର ସରକାର ଓ ନାଗା ସଂଗଠନ ମଧ୍ୟରେ ରାଜନୈତିକ ଆଲୋଚନାକୁ ଆଗେଇ ନେବା ପାଇଁ ସର୍ବଦଳୀୟ ୟୁଡିଏ ସରକାର ଗଠନ କରାଯାଇଥିଲା । ଏହି ମେଣ୍ଟର ଅଧ୍ୟକ୍ଷ ଏନପିଏଫର ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଟି ଆର ଜେଲିୟାଙ୍ଗଙ୍କୁ କରାଯାଇଥିଲା । ସେହିପରି ନେଫିୟୋ ରିୟୋ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି । ଏହି ବଳୟ ସହିତ ରାଜ୍ୟର ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏନପିପିର ସଦସ୍ୟ ସଂଖ୍ୟା ବଢ଼ି ୪୨ରେ ପହଞ୍ଚିଛି ।
ନାଗାଲାଣ୍ଡ ବିଧାନସଭାର ବାଚସ୍ପତି ଶେୟରିଗ୍ୟାନ ଲୋକଙ୍ଗ କୁମାର ଏକ ଆଦେଶନାମା ଜାରି କରିଛନ୍ତି । ସେ ଶୁକ୍ରବାର ଟିଆର ଜେଲିୟାଙ୍ଗଙ୍କ ନେତୃତ୍ୱରେ ଏନପିଏଫ ବିଧାୟକ ଦଳର ୨୧ ଜଣ ସଦସ୍ୟଙ୍କ ପତ୍ର ପାଇଥିବା ସୂଚନା ଦେଇଛନ୍ତି । ପତ୍ରରେ କୁହାଯାଇଛି ଯେ, ୨୧ ଜଣ ବିଧାୟକ ଏନଡିପିପିରେ ବିଳୟ ହୋଇଛନ୍ତି । ଏନ୍ପିଏଫରେ କଳହ ଯୋଗୁଁ ୨୧ ଜଣ ବିଧାୟକ ସରକାରଙ୍କୁ ସମର୍ଥନ କରିଛନ୍ତି ।