ଆସନ୍ତାକାଲି ସକାଳେ ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ପୁର୍ନଗଠନ । ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସମସ୍ତେ ଶପଥ ଗ୍ରହଣ କରିବେ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଗସ୍ତ ସାରି ରାଜ୍ୟପାଳ ଆସନ୍ତାକାଲି ଓଡ଼ିଶା ଫେରୁଛନ୍ତି । ଏବେ ମନ୍ତ୍ରିମଣ୍ଡଳରେ ୩ ମନ୍ତ୍ରୀ ପଦ ଖାଲି ରହିଛି । ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ଦୁଇଟି ଯାକ ମନ୍ତ୍ରୀପଦ ଖାଲି ରହିଥିଲା । ଏହାପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ଯୋଗୁଁ ଗୋଟିଏ ମନ୍ତ୍ରୀପଦ ଖାଲି ରହିଥିଲା । ଅନ୍ୟପଟେ ବିକ୍ରମ ଆରୁଖ ଇସ୍ତଫା ଦେବା ପରେ ବାଚସ୍ପତି ପଦ ମଧ୍ୟ ଖାଲି ରହିଛି । ଗତ କିଛି ଦିନ ହେବ ନୂଆ ମନ୍ତିମଣ୍ଡଳ ନେଇ ଚର୍ଚ୍ଚା ହେଉଥିଲା । ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଆଶାୟୀଙ୍କ ତାଲିକା ଖୁବ୍ ଲମ୍ବା ବୋଲି ଜଣାପଡ଼ିଛି । କେହି ମୁହଁ ଖୋଲି କିଛି କହୁନଥିବା ବେଳେ ସୁପ୍ରିମୋଙ୍କ ନିଷ୍ପତ୍ତିକୁ ସମସ୍ତଙ୍କ ଅପେକ୍ଷା ବୋଲି କହିଛନ୍ତି । କାହା ମୁଣ୍ଡରେ ନବୀନ ସୁନାକଳସ ଢାଳିବେ ସେନେଇ ଚର୍ଚ୍ଚା ଜୋର ଧରିଛି । ହେଲେ କାହାକୁ ମନ୍ତ୍ରୀ କରାଯିବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ହେର୍ଡକ୍ୱାର୍ଟର ନଛାଡିବାକୁ ମନ୍ତ୍ରୀ ଓ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ନେଇ ବିଜେଡି ବିଧାୟକଙ୍କ ହୃଦସ୍ପନ୍ଦନ ବଢିବାରେ ଲାଗିଛି ।
ନୂଆ ମନ୍ତ୍ରିମଣ୍ଡଳରେ ଦୀପାଳି ଦାସ, ଲତିକା ପ୍ରଧାନ, ବିକ୍ରମ କେଶରୀ ଆରୁଖ, ଶାରଦା ନାୟକ ଓ ସୁଶାନ୍ତ ସିଂଙ୍କ ନାଁ ଚର୍ଚ୍ଚାରେ ରହିଛି । ଦୀପାଳି ଦାସ ଝାରସୁଗୁଡାର ବିଧାୟିକା ଭାବେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା କରାଯାଉଛି । ସେହିଭଳି ଗଞ୍ଜାମ କବିସୂର୍ଯ୍ୟନଗରରୁ ବିଧାୟିକା ଅଛିନ୍ତି ଲତିକା ପ୍ରଧାନ । ଭଂଜନଗରରୁ ୬ ଥର ବିଧାୟକ ହୋଇଥିବା ତଥା ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ପଶ୍ଚିମ ଓଡିଶାର ଦୁଇଜଣ ଟାଣୁଆ ନେତା ଶାରଦା ନାୟକ ଓ ସୁଶାନ୍ତ ସିଂଙ୍କୁ ବି ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।