ଖବର ଓଡିଶା : 13/05/2023
ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ୨ ବିଭାଗର ଅତିରିକ୍ତ ଦାୟିତ୍ୱ। ଗଣଶିକ୍ଷା ଓ ଶ୍ରମ ବିଭାଗ ଦାୟିତ୍ୱରେ ରହିବେ ପ୍ରମିଳା ମଲ୍ଲିକ । ୨ ମନ୍ତ୍ରୀ ଇସ୍ତଫା ଦେଲା ପରେ ଖାଲି ପଡ଼ିଥିଲା ୨ ବିଭାଗ। କାଲି ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ। ଏହି ଦୁଇ ବିଭାଗର ଅତିରିକ୍ତ ଦାୟିତ୍ୱ ରାଜସ୍ୱ ମନ୍ତ୍ରୀଙ୍କୁ ମିଳିଛି। ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପାଖରେ ରହିଛି l
ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରମ, ନିଯୁକ୍ତି ଓ ଇଏସଆଇ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଶୁକ୍ରବାର ସକାଳେ ଇସ୍ତଫା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ପରେ ଉଭୟ ନିଜ ନିଜର ଇସ୍ତଫା ପତ୍ର ପଠାଇ ଦେଇଥିଲେ। ସେହିପରି ଦୁଇ ମନ୍ତ୍ରୀଙ୍କ ପୂର୍ବରୁ ବିକ୍ରମ ଆରୁଖ ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ସେ ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି । ସେ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି ।