ଭୁୁବନେଶ୍ୱର: ବିଧାନସଭାରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ସାରିଛି । ତେବେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ଏହାକୁ ନେଇ ରବିବାର ବିଜେଡିକୁ ନିଶାନା କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ସମ୍ବଲପୁରର ବିଧାୟକ ଜୟନାରାୟଣ ମିଶ୍ର । ପରୋକ୍ଷରେ ଭିକେ ପାଣ୍ଡିଆନଙ୍କୁ ତେରଛା ବାଣି ମାରିଛନ୍ତି ଜୟନାରାୟଣ ।
ସେ କହିଛନ୍ତି, ତାଙ୍କର ସୁପର ଲିଡର ଯିଏ ଅଛନ୍ତି, ସେ କହିଛନ୍ତି ବିଧାନସଭା ଚଳାଇ ଦିଅନି । ତାଙ୍କ ଦଳର ନେତା ବିଧାନସଭା ଆସିବାକୁ ଅକ୍ଷମ । ତେଣୁ ସେମାନେ ଏପରି କରୁଛନ୍ତି । ତାଙ୍କ ଦଳର ଯଦି ଆନ୍ତରିକ ଇଚ୍ଛା ଥାଆନ୍ତା ତେବେ ସେମାନେ ଲେଖିକି ଦିଅନ୍ତେ । ପ୍ରଥମଦିନ କଂଗ୍ରେସ ସାର ଉପରେ ମୁଲତବୀ ଆଣିଥିଲା। ସେମାନେ ଯଦି ଏତେ ଚିନ୍ତିତ ତେବେ ସେଦିନ ଆଲୋଚନା କରିଥାନ୍ତେ।ବିଜେଡିର ବରିଷ୍ଠ ନେତା ମଧ୍ୟ ଲବିରେ କହୁଛନ୍ତି ଉପରୁ ନିର୍ଦ୍ଦେଶ ପାଇ ଗୃହକୁ ଆମେ ବନ୍ଦ କରୁଛୁ ।
ଜୟନାରାୟଣ ଏହା ମଧ୍ୟ କହିଛନ୍ତି ଗୃହରେ ଚୁପ୍ ରହୁଛନ୍ତି, ମୁଲତବିରେ ଆଲୋଚନା କି ଶୂନ୍ୟକାଳରେ ଆଲୋଚନା ବି କରୁ ନାହାନ୍ତି । ବିଜେଡି ନିଜେ ଅସ୍ପଷ୍ଟ ହୋଇ ରହୁଛି । ଉଦ୍ଦେଶ୍ୟମୂଳକ ଭାବେ ବିଜେଡି ବିଧାନସବାକୁ ଚଲାଇ ଦେଉନି । ସେକେଣ୍ଡ ପୋଜିସନ ପାଇଁ ଏହି ପ୍ରତିଯୋଗିତା ଚାଲିଛି । କିଏ ସିଲଭର ଏବଂ କିଏ ବ୍ରୋଞ୍ଜ ପାଇବେ, ଆମର ସେଥିରେ ଯାଏ ଆସେ ନାହିଁ ବୋଲି ଜୟନାରାୟଣ କହିଛନ୍ତି ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ । ହେଲେ ବିରୋଧୀ ସାର ପ୍ରସଙ୍ଗ, ନାରୀ ନିର୍ଯାତନା ଏବଂ ରାଜ୍ୟର ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଗୃହରେ ପ୍ରବଳ ହଟ୍ଟଗୋଳ କରୁଛନ୍ତି । ଫଳରେ ଗୃହକାର୍ଯ୍ୟ ଚାଲି ପାରୁନି । ଶନିବାର କିଛି ମିନିଟ୍ ପରେ ଏମିତି ଅଚଳାବସ୍ଥା ହେଲେ ଯେ, ବାଚସ୍ପତିଙ୍କୁ ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିବାକୁ ପଡିଛି ।
Also read: ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଲେ ମନମୋହନ, କହିଲେ- ଏବେ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ନାହିଁ