ଭୁବନେଶ୍ୱର: ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନରେ ଅଚଳାବସ୍ଥା ଜାରି ରହିଛି । ସୋମବାର ମଧ୍ୟ ପ୍ରଶ୍ନୋତ୍ତର କାଳ ଧୋଇଯାଇଛି । ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଯୋଗୁଁ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ।
ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ ଥିଲା । ଆଜି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ପ୍ରଶ୍ନୋତ୍ତର କାଳରେ ଉଭୟ ବିରୋଧୀ ହଙ୍ଗାମା କରିଛନ୍ତି । ମୁଖ୍ୟ ବିରୋଧୀ ବିଜେଡ଼ି ସାର ପ୍ରସଙ୍ଗରେ ସମସ୍ତ କାର୍ଯ୍ୟ ବାତିଲ କରି ଦିନ ତମାମ ଆଲୋଚନା କରିବାକୁ ଜିଦରେ ଅଡ଼ିବସିଛି । ବିଜେଡ଼ି ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ନାରାବାଜି କରିଥିଲେ । ସେପଟେ କଂଗ୍ରେସ ବିଧାୟକମାନେ ନିଜ ଆସନରେ ପ୍ଲା କାର୍ଡ଼ ଧରି ଛିଡ଼ା ହୋଇଥିଲେ । ଯେଉଁଥିରେ ବିଜେଡ଼ି-ବିଜେପି ଭାଇ ଭାଇ ବୋଲି ଲେଖାଥିଲା ।
ବାଚସ୍ପତି ଉଭୟ ଦଳର ସଦସ୍ୟଙ୍କୁ ନିଜ ନିଜ ଆସନରେ ବସିଯିବାକୁ ବାରମ୍ବାର ଅନୁରୋଧ କରିଥିଲେ । ପ୍ରଶ୍ନୋତ୍ତର କାଳ ଭଳି ଗୁରୁତ୍ୱପୂର୍ଣ୍ଣ ସମୟକୁ ନଷ୍ଟ ନ କରିବାକୁ କହିଥିଲେ । ନିଜେ ଯେଉଁ ପ୍ରଶ୍ନ ପଚାରିଛନ୍ତି, ତାହାର ଉତ୍ତର ଶୁଣିବାକୁ ଅନୁରୋଧ କରିଥିଲେ ବାଚସ୍ପତି ମହୋଦୟା । ଏହା ସହିତ ସାର ପ୍ରସଙ୍ଗ ପାଇଁ ପର୍ଯ୍ୟାପ୍ତ ସମୟ ଆଲୋଚନା ପାଇଁ ଦିଆଯିବ ବୋଲି କହିଥିଲେ । ତଥାପି ବିଜେଡ଼ି ବିଧାୟକମାନେ କର୍ଣ୍ଣପାତ କରିନଥିଲେ । ନାରାବାଜି ଓ ହଙ୍ଗାମା ଜାରି ରଖି ଗୃହକୁ ଅଚଳ କରିବାକୁ ଚେଷ୍ଟା କରିଥିଲେ । ଶେଷରେ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।
ଅନ୍ୟପଟେ ଦେଖିବାକୁ ଗଲେ ଏହା ଏକ ସ୍ୱଳ୍ପକାଳୀନ ଅଧିବେଶନ । ୨୫ ତାରିଖ ଯାଏଁ ଅଧିବେଶନ ଚାଲିବ । ମାତ୍ର ୭ଟି କାର୍ଯ୍ୟଦିବସ ରହିଥିବାବେଳେ ୪ ଦିନ ବରବାଦ ହୋଇଥିବାବେଳେ ଆଉ ହାତରେ ମାତ୍ର ତିନୋଟି ଦିନ ରହିଛି । ବିରୋଧୀଙ୍କ ହଙ୍ଗାମା ଏବଂ ବାରମ୍ବାର ଗୃହ ମୁଲତବୀ ଯୋଗୁଁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରୁ ନାହିଁ ।