ଭୁୁବନେଶ୍ୱର: ବିଜୁ ଜନତା ଦଳ(ବିଜେଡି)ର ଆଭ୍ୟନ୍ତରୀଣ କନ୍ଦଳ ଜଳ ଜଳ ହୋଇ ଦିଶୁଛି । ଏହା ଥମିବା ପରିବର୍ତ୍ତେ ବଢିବାରେ ଲାଗିଛି । ବିଶେଷ କରି ଭିକେ ପାଣ୍ଡିଆନ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ଦୂରତା ବଢିବାରେ ଲାଗିଛି । ଏହି କ୍ରମରେ ବିଜେଡି ନିମନ୍ତ୍ରଣପତ୍ରରେ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ନାଁ ନ ଥିବା ପ୍ରସଙ୍ଗ ରାଜନୀତିକୁ ସରଗରମ କରିଛି । ଆଉ ଏହା ଉପରେ ଏବେ ବୟାନ ଦେଇଛନ୍ତି ପାଣ୍ଡିଆନଙ୍କ ଦୃଢ ସମର୍ଥକ ବରିଷ୍ଠ ନେତା ତଥା କଟକ ମେୟର ସୁବାସ ସିଂ ।
ବନ୍ଧୁମିଳନ ନିମନ୍ତ୍ରଣକୁ ନେଇ ସୁବାସ ସିଂ କହିଛନ୍ତି, ସବୁ ନେତାଙ୍କ ନାଁ ନିମନ୍ତ୍ରଣ ପତ୍ରରେ ରହିବାର ଆବଶ୍ୟକତା ନାହିଁ । ଅତିଥି ଭାବେ ଦେବାଶିଷ ବାବୁ ଯୋଗ ଦେବେ ବୋଲି ନିମନ୍ତ୍ରଣ ପତ୍ରରେ ନାଁ ନାହିଁ । ଆହୁରି ଅନେକ ନେତା ଅଛନ୍ତି, ଯାହାଙ୍କ ନାଁ ନିମନ୍ତ୍ରଣପତ୍ରରେ ନାହିଁ । ଅତୀତରେ ଦୀର୍ଘ ବର୍ଷ ଦେବାଶିଷ ବାବୁ ସଂଗଠନର ମୁଖ୍ୟ ରହିଛନ୍ତି । ପ୍ରଥମ ଥର ବିଜେଡିର ବନ୍ଧୁମିଳନ କାର୍ଯ୍ୟକ୍ରମ ହେଉଥିବାରୁ ଆମେ ଖୁସି । ତେଣୁ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ନେଇ କୌଣସି ମତଭେଦ ନାହିଁ ।
ସୂଚନାଯୋଗ୍ୟ, ନିକଟରେ ସୁବାସ ସିଂ ଭିକେ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତିବା ସହ ତାଙ୍କ ପରି ମହିଳା ରାଜନୀତିକୁ ଆସିବା ଦରକାର ବୋଲି କହିଥିଲେ । ସୁଜାତାଙ୍କ ପାଇଁ ରାଜ୍ୟର ମହିଳା ସଶକ୍ତିକରଣକୁ ନୂଆ ଦିଗ ମିଳିଥିବା ସେ କହିଥିଲେ । ଅନ୍ୟପଟେ ଦେବାଶିଷ ପାଣ୍ଡିଆନଙ୍କୁ ପରୋକ୍ଷରେ ସମାଲୋଚନା କରି ଆସିଛନ୍ତି । ଏପରିକି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡିଆରେ ଭିକେ ପାଣ୍ଡିଆନଙ୍କ ସମାଲୋଚନାକୁ ମଧ୍ୟ ଦେବାଶିଷ ସମର୍ଥନ କରିଛନ୍ତି ।
Also read: ଏଲଓସିରେ ୪୦ ମିନିଟ୍ ଧରି ଗୁଳିଚାଳନା କଲା ପାକିସ୍ତାନ; ଉଚିତ ଜବାବ ଦେଲା ଭାରତ