ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବଡ଼ ଓଲଟପାଲଟ ପରେ ଜାତୀୟ ରାଜନୀତିରେ ପୁଣି ଥରେ ହଲଚଲ ଦେଖାଦେଇଛି। ବିଜେପି ଏବଂ ମୋଦୀ ସରକାରଙ୍କୁ ରୋକିବା ପାଇଁ ଆଜି ସୋମବାର ଦିଲ୍ଲୀରେ ବିରୋଧୀ ଦଳଗୁଡ଼ିକର ‘ଇଣ୍ଡିଆ’ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ୨୩ଟି ବିରୋଧୀ ଦଳର ବଡ଼ ବଡ଼ ନେତା ଏଥିରେ ସାମିଲ ହୋଇଛନ୍ତି। ତେବେ ଏହି ବୈଠକ ପୂର୍ବରୁ ଦିଲ୍ଲୀର ରାଜପଥରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ଅନେକ ବିବାଦୀୟ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।
ରାଜଧାନୀର ପ୍ରସିଦ୍ଧ ‘କନଷ୍ଟିଚ୍ୟୁସନ କ୍ଲବ’ରେ ଅନୁଷ୍ଠିତ ଏହି ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ୨୦୨୪ ଜୁନ୍ ପରେ ଏହା ମେଣ୍ଟର ସବୁଠାରୁ ବଡ଼ ସାଙ୍ଗଠନିକ ବୈଠକ ବୋଲି କୁହାଯାଉଛି। ବୈଠକର ପ୍ରାରମ୍ଭରେ ଆଲୋଚନାର ଏଜେଣ୍ଡା ରଖି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାରଙ୍କ କୁଶାସନ ଯୋଗୁଁ ଆଜି ଦେଶ ରାଜନୈତିକ, ଆର୍ଥିକ ଏବଂ ସାମାଜିକ ସ୍ତରରେ ବଡ଼ ସଙ୍କଟ ଦେଇ ଗତି କରୁଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକୁ କେବଳ ବିରୋଧୀ ନେତାଙ୍କୁ ଦବାଇବା ପାଇଁ ବ୍ୟହାର କରାଯାଉଛି। ଅଣ-ବିଜେପି ଶାସିତ ରାଜ୍ୟଗୁଡ଼ିକୁ ସେମାନଙ୍କର ହକ୍ ମିଳୁନାହିଁ।
ଖଡ଼ଗେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଦେଶରେ ନିଯୁକ୍ତି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ଏବଂ ପରୀକ୍ଷା ପରିଚାଳନାରେ ହେଉଥିବା ଦୁର୍ନୀତି (Paper Leak) ଯୋଗୁଁ ଲକ୍ଷ ଲକ୍ଷ ଯୁବକଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲିଯାଇଛି। ବୈଠକରେ ଯୋଗଦେବା ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ, ଦେଶରେ ଏବେ ଏକତା ଏବଂ ଭାଇଚାରାର ଶାସନ ପ୍ରତିଷ୍ଠା ହେବା ଆବଶ୍ୟକ। ଉତ୍ତର ପ୍ରଦେଶର ସ୍ଥିତି ବିଗିଡ଼ିବାରେ ଲାଗିଛି ଏବଂ ମହିଳାମାନେ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଗଣତନ୍ତ୍ରର ସୁରକ୍ଷା ପାଇଁ ‘ଇଣ୍ଡିଆ’ ମେଣ୍ଟ ଏକାଠି ଲଢ଼ିବ।
ଏହି ବୈଠକରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ, ଅଭିଷେକ ବାନାର୍ଜୀ, ଆରଜେଡି ନେତା ତେଜସ୍ୱୀ ଯାଦବ, ଶିବସେନା (UBT) ମୁଖ୍ୟ ଉଦ୍ଧବ ଠାକରେ, ସୁପ୍ରିୟା ସୁଲେ, ଉମର ଅବଦୁଲ୍ଲା ଏବଂ ମହବୁବା ମୁଫ୍ତିଙ୍କ ଭଳି ହେଭିୱେଟ୍ ନେତାମାନେ ରଣନୀତି ପ୍ରସ୍ତୁତ କରିଛନ୍ତି।
ଆଗାମୀ ଲକ୍ଷ୍ୟ: ୨୦୨୯ ଲୋକସଭା ନିର୍ବାଚନ
ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସିର ଶୋଚନୀୟ ପରାଜୟ ପରେ ବିରୋଧୀ ଦଳଗୁଡ଼ିକ ବୁଝିଯାଇଛନ୍ତି ଯେ ଏକାଠି ନଲଢ଼ିଲେ ବିଜେପିକୁ ହରାଇବା ଅସମ୍ଭବ। ଏହି ବୈଠକରେ କେବଳ ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନ ନୁହେଁ, ବରଂ ୨୦୨୯ ଲୋକସଭା ନିର୍ବାଚନ ପାଇଁ ଏବେଠାରୁ ଏକ ମଜବୁତ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ନେତାମାନେ ସହମତ ହୋଇଛନ୍ତି।
Also Read: ଜବାହରଲାଲ ନେହେରୁଙ୍କ ୪,୩୯୯ ଦିନର ରେକର୍ଡ ଅତିକ୍ରମ କରିବା ପଥରେ ପିଏମ୍ ମୋଦୀ: ଏକ ନଜରରେ ଭାରତୀୟ ପ୍ରଧାନମନ୍ତ୍ରୀମାନଙ୍କ କାର୍ଯ୍ୟକାଳ