ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ନିଟ୍ ପେପର ଲିକ୍ ଏବଂ ଦିଲ୍ଲୀ ଜନ୍ତରମନ୍ତରରେ ପ୍ରଦର୍ଶନକାରୀ ଛାତ୍ରଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଉଭୟ ଗୃହରେ ହଙ୍ଗାମା ଜାରି ରହିଛି । ଏହା ମଧ୍ୟରେ ବୁଧବାର ରାଜ୍ୟସଭାରେ ଗୃହର ନେତା ତଥା କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଓ ବିରୋଧୀ ଦଳ ନେତା କଂଗ୍ରେସର ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ କଟୁ ଯୁକ୍ତିତର୍କ ଦେଖିବାକୁ ମିଳିଛି।
ଜନ୍ତରମନ୍ତରରେ ଛାତ୍ରଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଖଡଗେ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ହମଲା କରିଛନ୍ତି । ଅନ୍ୟପଟେ ନଡ୍ଡା ସରକାରଙ୍କ ପକ୍ଷରୁ ମୋର୍ଚ୍ଚା ସମ୍ଭାଳି ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସର କାର୍ଯ୍ୟାନୁଷ୍ଠାନ ସଂପୂର୍ଣ୍ଣ ଠିକ୍ ବୋଲି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ଯେଉଁ ଛାତ୍ରମାନଙ୍କୁ ସାମାଜିକ କର୍ମୀ ହେବାର ଅଛି, ଏମିତି ଦଣ୍ଡ ପାଇଁ ପ୍ରସ୍ତୁତ ରହିବା ଉଚିତ୍ ।
ଗୃହର ଆରମ୍ଭରେ ବିତର୍କ ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁ ଖଡଗେ ପୋଲିସ କାର୍ଯ୍ୟାନୁଷ୍ଠାନର ଦୃଢ ନିନ୍ଦା କରି ଛାତ୍ରଙ୍କ ଗିରଫଦାରୀ ପ୍ରସଙ୍ଗ ଉଠାଇଥିଲେ । ସରକାରଙ୍କ ଏମିତି କାର୍ଯ୍ୟାନୁଷ୍ଠାନ ଏବଂ ଛାତ୍ର ବିରୋଧୀ ଆଭିମୁଖ୍ୟ ଗଣତନ୍ତ୍ର ବିରୋଧୀ ବୋଲି ଖଡଗେ କହିଛନ୍ତି । ସେ କହିଛନ୍ତି ଏହା ବହୁତ ନିନ୍ଦନୀୟ ଯେ, ଏକ ଜାତୀୟ ପାର୍ଟିର କାର୍ଯ୍ୟାଳୟରେ ପଶି ସେମାନଙ୍କ ନେତା ଓ କର୍ମୀଙ୍କୁ ଗିରଫ କରିବେ ତାହା ଗଣତାନ୍ତ୍ରିକ ଦେଶ ପାଇଁ ଶୋଭନୀୟ ନୁହେଁ ।
ଆଉ ଏହାର ଜବାବରେ ଜେପି ନଡ୍ଡା ଉପରୋକ୍ତ ବୟାନ ଦେଇ କହିଛନ୍ତି, ଯେଉଁ ଛାତ୍ରମାନଙ୍କୁ ସାମାଜିକ କର୍ମୀ ହେବାର ଅଛି ସେମାନେ ପୋଲିସର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବା ମଧ୍ୟ ଦରକାର । ଉଭୟ ନଡ୍ଡା ଓ ଖଡଗେଙ୍କ ମଧ୍ୟରେ ବିତର୍କ ରାଜ୍ୟସଭାକୁ ପୂରା ସରଗରମ କରିଛି ।
Also Read: ସରକାର ଯୁବ ଏବଂ ଭବିଷ୍ୟତ ଚିନ୍ତାଧାରାର ହେବା ଉଚିତ: ପ୍ରଧାନମନ୍ତ୍ରୀ ମୋଦୀ