କୋଲକାତା: ପଶ୍ଚିମବଙ୍ଗରେ ଗୁରୁବାର ଚାଲିଥିବା ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃଣମୂଳ କଂଗ୍ରେସ ସରକାରକୁ ହମଲା କରିଛନ୍ତି । ପିଏମ ମୋଦୀ କୃଷ୍ଣାନଗରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ଝାଲମୁଢିକୁ ନେଇ ମମତା ବାନାର୍ଜୀଙ୍କୁ ତାତ୍ସଲ୍ୟ କରିଛନ୍ତି । ପିଏମ ମୋଦୀ ମଜାଳିଆ ଶୈଳୀରେ କହିଛନ୍ତି, ମୁଁ ତ ଝାଲମୁଢି ଖାଇଲି ହେଲେ ପୋଡୁଛି ଟିଏମସିକୁ । ଉଲ୍ଲେଖନୀୟ ପଶ୍ଚିମବଙ୍ଗରେ ଆଜି ୧୬ ଜିଲ୍ଲାର ୧୫୨ ସିଟରେ ମତଦାନ ଚାଲିଛି ।
ନିକଟରେ ପିଏମ ମୋଦୀ ନିର୍ବାଚନ ପ୍ରଚାର ସମୟରେ ପଶ୍ଚିମବଙ୍ଗର ଏକ ସ୍ଥାନୀୟ ଦୋକାନରେ ଝାଲମୁଢି ଖାଇଥିଲେ । ଏହି ଘଟଣାର ଭିଡିଓ ପିଏମ ମୋଦୀ ଏକ୍ସରେ ସେୟାର କରିଥିଲେ । ଏହି ଭଡିଓ ଖୁବ୍ ଭାଇରାଲ୍ ହୋଇଥିଲା । ଇନଷ୍ଟାଗ୍ରାମରେ ୨୪ ଘଣ୍ଟା ଭିତରେ ଏହାକୁ ୧୦ କୋଟିରୁ ଅଧିକ ଏବଂ ଫେସବୁକରେ ୯ କୋଟିରୁ ଅଧିକ ଲୋକ ଦେଖିଥିଲେ । ପିଏମ ମୋଦୀ କୃଷ୍ଣାନଗର ନିର୍ବାଚନ ରାଲିରେ ଏହାର ଉଲ୍ଲେଖ କରି ମମତାଙ୍କୁ ଆକ୍ଷେପ କରିଛନ୍ତି ।
ପିଏମ ମୋଦୀ ରାଲିକୁ ସମ୍ବୋଧିତ କରି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ପଦ୍ମ ଫୁଟିବା ନିଶ୍ଚିତ । ମେ ୪ରେ ପଶ୍ଚିମବଙ୍ଗରେ ବିଜେପି ବିଜୟର ଉତ୍ସବ ପାଳନ କରିବ । ମିଠା ବଣ୍ଟାଯିବ ଏବଂ ଝାଲମୁଢି ବି ବଣ୍ଟାଯିବ । ମୁଁ ଶୁଣିଛି ଝାଲମୁଢି କଣ କିଛି ଲୋକଙ୍କୁ ବହୁତ ଜଳୁଛି । ଝାଲମୁଢି ମୁଁ ଖାଇଲି ହେଲେ ଜୋଳୁଛି ଟିଏମସିକୁ ।
ଉଲ୍ଲେଖନୀୟ ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି । ଆଜି ପ୍ରଥମ ପର୍ଯ୍ୟାୟରେ ମତଦାନ ଚାଲିଥିବା ବେଳେ ଏପ୍ରିଲ ୨୯ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହେବ । ଆଉ ମେ ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ପଶ୍ଚିମବଙ୍ଗରେ ଟିଏମସି କ୍ଷମତା ବଜାୟ ରଖିବା ପାଇଁ ଯଥା ସମ୍ଭବ ଉଦ୍ୟମ କରିଥିବା ବେଳେ ବିଜେପି ପ୍ରଥମ ଥର ସରକାର ଗଠନ କରିବା ପାଇଁ ଅଣ୍ଟା ଭିଡିଛି ।