କୋଲକାତା: ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ଶୁକ୍ରବାର ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଏହାର ପୂର୍ବତନ ରାଜ୍ୟସଭା ସାଂସଦ ଶାନ୍ତନୁ ସେନ୍ ଏବଂ ପୂର୍ବତନ ବିଧାୟକ ଆରାବୁଲ ଇସଲାମଙ୍କୁ ନିଲମ୍ବିତ କରିଛି। ଦଳର ଉପାଧ୍ୟକ୍ଷ ଜୟପ୍ରକାଶ ମଜୁମଦାର ଏହି ସୂଚନା ଦେଇଛନ୍ତି। ଦଳର ଆଭ୍ୟନ୍ତରୀଣ କଳହ ଲାଗି ରହିଥିବା ବେଳେ ଏଭଳି ପଦକ୍ଷେପ ନିଆଯାଇଛି।
ପେସାରେ ଡାକ୍ତର ତଥା ଟିଏମସିରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ବିଶ୍ୱସ୍ତ ଭାବେ ବିବେଚିତ ଶାନ୍ତନୁ ସେନ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ପାଇଁ ପୁଲିସକୁ ସମାଲୋଚନା କରିଥିଲେ। ଏହି ପ୍ରସଙ୍ଗରେ ତାଙ୍କର କଠୋର ଆଭିମୁଖ୍ୟ ଦଳ ଭିତରେ ହଇଚଇ ସୃଷ୍ଟି କରିଥିଲା।
ସେନ୍ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଶାନ୍ତନୁ ସେନଙ୍କ ପତ୍ନୀ କାକଲି ସେନ ମଧ୍ୟ କୋଲକାତା ମହାନଗର ନିଗମର ୱାର୍ଡ ନମ୍ବର ୨ରୁ ତୃଣମୂଳ କଂଗ୍ରେସ କାଉନସିଲର ଏବଂ ନିକଟରେ ତାଙ୍କୁ ଦଳର କିଛି ହ୍ଵାଟ୍ସଆପ୍ ଗ୍ରୁପ୍ ରୁ ହଟାଇ ଦିଆଯାଇଛି।
ଅନ୍ୟପକ୍ଷରେ କୋଲକାତା ଉପକଣ୍ଠ ଭଙ୍ଗୋରର ବାସିନ୍ଦା ଇସଲାମଙ୍କ ସହ ଦଳର ବିଧାୟକ ସୌକତ ମୋଲ୍ଲାଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ଲାଗି ରହିଥାଏ, ଯାହା ଶୀର୍ଷ ନେତୃତ୍ୱପାଇଁ ଅନେକ ସମୟରେ ଲଜ୍ଜାର କାରଣ ପାଲଟିଥାଏ। ଦକ୍ଷିଣ ୨୪ ପ୍ରଗଣାର ଭାଙ୍ଗରର ପୂର୍ବତନ ବିଧାୟକ ଅରାବୁଲ ଇସଲାମଙ୍କ ସହ ଗତ କିଛି ବର୍ଷ ହେବ ଦଳ ମୁହାଁମୁହିଁ ହୋଇଥିଲା। ୨୦୨୫ ଜାନୁଆରୀ ପହିଲାରେ ତୃଣମୂଳ କଂଗ୍ରେସର ପ୍ରତିଷ୍ଠା ଦିବସରେ ଦଳୀୟ ପତାକା ଉତ୍ତୋଳନ କରୁଥିବା ବେଳେ ବିଧାୟକ ସୌକତ ମୋଲ୍ଲାଙ୍କ ନେତୃତ୍ବାଧୀନ ଦଳର ଅନ୍ୟ ଏକ ଗୋଷ୍ଠୀ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା।
ଅଧିକ ପଢ଼ନ୍ତୁ: ରାମଲଲାଙ୍କ ମହାଭିଷେକ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ