ଅଯୋଧ୍ୟା: ରାମ ଜନ୍ମଭୂମି ପରିସରରେ ଶନିବାରଠାରୁ ଆରମ୍ଭ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ଦ୍ୱାଦଶୀ ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜାନୁଆରି ୧୧ରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଗର୍ଭଗୃହରେ ରାମଲଲାଙ୍କ ରୀତିନୀତି ସମ୍ପନ୍ନ କରି ଏହି ମହୋତ୍ସବକୁ ଉଦ୍ଘାଟନ କରିବେ।
ଆଇଜି ପ୍ରବୀଣ କୁମାର ଓ କମିଶନର ଗୌରବ ଦୟାଲ ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳ ପରିଦର୍ଶନ କରିବା ସହ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାମ ମନ୍ଦିରର ପ୍ରଥମ ବାର୍ଷିକୀ ପାଳନର ଏହି ଭବ୍ୟ ଉତ୍ସବରେ ଅଯୋଧ୍ୟାକୁ ଦିବ୍ୟ ଓ ଭବ୍ୟ ରୂପରେ ଦେଖିବାକୁ ମିଳିବ। ଏହି କାର୍ଯ୍ୟକ୍ରମ ରାମ ଭକ୍ତଙ୍କ ପାଇଁ ଆସ୍ଥା ଓ ଉଲ୍ଲାସର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ।
ରାମଲଲାଙ୍କ ପୂଜାର୍ଚ୍ଚନାର ପ୍ରଥମ ବାର୍ଷିକୀ ଅବସରରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରାୟ ୨ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି ଡ. ଅନିଲ ମିଶ୍ର କହିଛନ୍ତି ଯେ ଅତିଥିମାନଙ୍କୁ ନିମନ୍ତ୍ରଣ କାର୍ଡ ବଣ୍ଟନ କରାଯାଇଛି, କିନ୍ତୁ ଗର୍ଭଗୃହ ଏବଂ ଯଜ୍ଞ ମଣ୍ଡଳ କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟକ ଲୋକ ଯୋଗ ଦେଇପାରିବେ। ଏଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରାଯାଇଛି।
ଶନିବାର ଅପରାହ୍ନ ୨ଟାରେ ମୁଖ୍ୟମନ୍ତ୍ରୀ ଅଙ୍ଗଦ ଟିଲା କାର୍ଯ୍ୟକ୍ରମସ୍ଥଳରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମରେ ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେବେ ବୋଲି ଜଣାପଡ଼ିଛି। ଅଯୋଧ୍ୟାରେ ପାଖାପାଖି ୫ ଘଣ୍ଟା ରହିବେ ମୁଖ୍ୟମନ୍ତ୍ରୀ। ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କୁ ଭବ୍ୟ ଏବଂ ଦିବ୍ୟ ମନ୍ଦିରରେ ସିଂହାସନ ଦିଆଯାଇଥିଲା । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ସେହି ତାରିଖର ମୁହୂର୍ତ୍ତ ଜାନୁଆରୀ ୧୧ ରେ ପଡ଼ୁଛି।
ଜାନୁଆରୀ ୧୧ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ତିନି ଦିନ ଧରି ପ୍ରତିଷ୍ଠା ଦ୍ୱାଦଶୀ ପର୍ବ ପାଳନ କରାଯାଉଛି। ପ୍ରଥମ ବାର୍ଷିକୀ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସମସ୍ତ ପାସ୍ ବନ୍ଦ ରଖାଯାଇଛି। ଦୂରଦର୍ଶନରେ ସିଧା ପ୍ରସାରଣ କରାଯିବ ଯାହା ଦ୍ୱାରା କୋଟି କୋଟି ଲୋକ ରାମଲାଲାଙ୍କୁ ଦେଖିପାରିବେ।
ଅଧିକ ପଢ଼ନ୍ତୁ: ରାତ୍ରୀଭୋଜନ କରୁଥିଲେ ଲୁଧିଆନାର ବିଧାୟକ, ଗୁଳିମାଡ଼ରେ ମୃତ