ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭୋର ୩ଟା ୨୫ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି । ୬୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଗତମାସ ୩୧ ତାରିଖରୁ ଚିକିତ୍ସାଧୀନ ଥିଲେ ମହେଶ୍ୱର ମହାନ୍ତି । ରାଜନୀତିର ଜଣେ ଦକ୍ଷ ଓ ପ୍ରତିଭାଶାଳୀ ନେତା ଥିଲେ ମହେଶ୍ୱର ମହାନ୍ତି । ପୁରୀ ବିଧାନସଭା ନିର୍ଵାଚନ ମଣ୍ଡଳୀରୁ ସେ ୫ଥର ନିର୍ବାଚିତ ହୋଇଛନ୍ତି । ନବୀନ ସରକାର ରେ ସେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ୧୯୯୫ ମସିହାରେ ଜନତା ଦଳ ଟିକେଟରେ ପୁରୀ ବିଧାନସଭାରୁ ନିର୍ବାଚିତ ହୋଇ ପ୍ରଥମେ ବିଧାୟକ ହୋଇଥିଲେ ମହେଶ୍ୱର ୨୦୦୪ ରୁ ୨୦୦୮ ପର୍ଯ୍ୟନ୍ତ ସେ ବାଚସ୍ପତି ଭାବେ ମଧ୍ୟ ଦାୟିତ୍ୱ ନିଭାଇଥିଲେ ।
ମହେଶ୍ୱର ମହାନ୍ତି ଅବିଭକ୍ତ କଟକ ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ଓଷକଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ବାଲିକୁଦା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ଶିକ୍ଷା ଶେଷ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ଆଇ.ଏ. ପାଶ୍ କରି ଶିକ୍ଷକତା କରିଥିଲେ । କିନ୍ତୁ ପ୍ରଧାନ ଶିକ୍ଷକ ଭାବରେ ଯୋଗ ଦେବାର ମାତ୍ର ବର୍ଷକ ପରେ ପୁଣି ରେଭେନ୍ସା କଲେଜକୁ ଫେରିଥିଲେ ଏବଂ ସେଠାରୁ ଓଡ଼ିଆରେ ପ୍ରଥମେ ସ୍ନାତକ ଏବଂ ପରେ ସ୍ନାତକୋତ୍ତର ପାଶ୍ କରିଥିଲେ । ସ୍ନାତକ ପରେ ସେ ପ୍ରଥମେ ଓଡ଼ିଶା ଷ୍ଟେଟ୍ କୋଅପରେଟିଭ୍ ୟୁନିଅନ୍ ଅଧିନରେ ସମବାୟ ସମାଚାର, କଲ୍ୟାଣୀ ଓ ଓଡ଼ିଶା କୋଅପରେଟିଭ୍ ଜର୍ଣ୍ଣାଲ୍ ପ୍ରଭୃତିର ସହ-ସମ୍ପାଦକା ଭାବରେ କାର୍ଯ୍ୟାରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସମ୍ପାଦକ ପଦକୁ ମଧ୍ୟ ଉନ୍ନୀତ ହୋଇଥିଲେ । ଏହାପରେ ସେ ରାଜନୀତିରେ ଯୋଗ ଦେଇଥିଲେ । ତାଙ୍କର ରଚିତ ଶିଶୁ ସାହିତ୍ୟ ପୁସ୍ତକ ବେଲୁନ୍ ଗଲା ଉଡ଼ି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ମହେଶ୍ୱର ମହାନ୍ତିଙ୍କ ପରଲୋକରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି ।