ଖବର ଓଡିଶା : 16/05/2023
ବିଜେଡିକୁ କଡ଼ା ଭାଷାରେ ଜବାବ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଓଡ଼ିଶାର ଗର୍ଭବତୀ ମାଆ, ନବଜାତ ଶିଶୁ, କିଶୋର କିଶୋରୀଙ୍କ ଅବସ୍ଥା ଚିନ୍ତାଜନକ । ଓଡ଼ିଶାରେ ଗଭର୍ଣ୍ଣାନ୍ସର ଅଭାବ କାରଣରୁ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି l ବୟସ ଓ ଉଚ୍ଚତା ଅନୁସାରେ ନବଜାତ ଶିଶୁଙ୍କ ଶାରିରୀକ ଓ ମାନସିକ ବିକାଶ ହେଉନାହିଁ । ଜନଜାତି ପିଲା ଓ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନାହିଁ । ଏହା କେବଳ ବିରୋଧୀ ଦଳର ଅଭିଯୋଗ ନୁହେଁ ବରଂ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ସର୍ଭେର ରିପୋର୍ଟ କହୁଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କୁ ଶଶିକଳା ସିଣ୍ଡ୍ରୋମ୍ ବଢିଛି । ତେଣୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମୋ ଭିତରେ ବିବାଦ ସୃଷ୍ଟି କରିବାକୁ ଶାସକ ଦଳ ପ୍ରୟାସ କରୁଛି। ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ଭଉଣୀ ବୋଲି କହିବା ସହ ତାଙ୍କୁ ରାଜନୀତିକୁ ଆଣି ସେ ପ୍ରାର୍ଥୀ କରାଇଥିବା ମଧ୍ୟ କହିଛନ୍ତି। ଯଦି ସେ ଭାବିବେ ଏହାଦ୍ୱାରା ରାଜନୀତି କରିବେ, ଏହା ଭୁଲ ହବ। ମୂଳ ବିଷୟ ହେଉଛି ଓଡ଼ିଶାର ଅସ୍ମିତା, ସ୍ୱାଭିମାନ, ଓଡିଶାବାସୀଙ୍କ ସ୍ୱପ୍ନ ଓ ଓଡ଼ିଶାକୁ ବଡ଼ କରିବା, ଦେଶର ଏକ ନମ୍ବର ରାଜ୍ୟ କରିବା। ଏଥିପାଇଁ ସମସ୍ତେ କାମ କରନ୍ତୁ। ଶଶିକଳା ସିଣ୍ଡ୍ରୋମରେ ରାଜ୍ୟ କି ଦେଶ ବଡ଼ ହେବନି। ଆମେ ସମସ୍ତେ ଏକାଠି ହୋଇ ଓଡ଼ିଶାକୁ ଦେଶରେ ଏକ ନମ୍ବର କରିବାକୁ ପ୍ରୟାସ କରିବା ଉଚିତ। ଡବଲ ଇଞ୍ଜିନ ନବୀନଙ୍କ ଦ୍ୱାରା ହୋଇପାରିବନି। ଏଠି ଫାଳେ ଇଞ୍ଜିନ ଅଛି, ଓଡ଼ିଶା ସ୍ୱାସ୍ଥ୍ୟସେବା ସର୍ଭେ ରିପୋର୍ଟ ଦେଖନ୍ତୁ।