ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ସରିଲା ମତଦାନ । ଇଭିଏମରେ ସିଲ୍ ହେଲା ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ । ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହୋଇଛି ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ଚାଲିଥିଲା ଭୋଟିଂ। ସନ୍ଧ୍ୟା ୫ଟା ସୁଦ୍ଧା ୫୭.୭ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି । ଦିଲ୍ଲୀର ମୁସ୍ତାଫାବାଦରେ ସର୍ବାଧିକ ୬୬.୬୮ ପ୍ରତିଶତ ଭୋଟିଂ ହୋଇଥିବା ବେଳେ କରୋଲବାଗରେ ସର୍ବନିମ୍ନ ୪୭.୪୦ ପ୍ରତିଶତ ଭୋଟିଂ ହୋଇଛି । ଫେବୃୟାରୀ ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ହେବ ।
ଆଜିର ନିର୍ବାଚନପର୍ବରେ ସାମିଲ ହୋଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, କେନ୍ଦ୍ରମନ୍ତ୍ରୀ ଏସ ଜୟଶଙ୍କର, ହରଦୀପ ସିଂ ପୁରି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ, ଆପର ମୁଖ୍ୟ ଅରବିନ୍ଦ କେଜି୍ରୱାଲ, ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା, ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସମେତ ବହୁ ଭିଭିଆଇପି ବୁଥରେ ପହଞ୍ଚି ମତାଧିକାର ସାବ୍ୟସ୍ତ କରିଥିଲେ । କ୍ରମାଗତ ତୃତୀୟ ଥର ପାଇଁ କ୍ଷମତା ଦଖଲ କରିବାକୁ ଆପ୍ ଲକ୍ଷ୍ୟ ରଖିଥିବା ବେଳେ ଏଥର ଦିଲ୍ଲୀ ଛଡ଼ାଇ ନେବାକୁ ବଳ ଲଗାଇଛି ବିଜେପି । ୧୩ ହଜାର ୭୬୬ଟି ବୁଥରେ ୧ କୋଟି ୫୬ ଲକ୍ଷ ମତଦାତା ନିଜ ମତ ସାବ୍ୟସ୍ତ କରିଛନ୍ତି । ଦିଲ୍ଲୀରେ ତ୍ରିମୁଖୀ ଲଢେଇ ହୋଇଥିଲେ ବି ମୁଖ୍ୟତଃ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ: ଦିଲ୍ଲୀ ବିଧାନସଭା ନିର୍ବାଚନ: ଭୋଟ୍ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ବୁଧବାର କଡ଼ା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିଥିଲା । ଦିଲ୍ଲୀର କିଛି ହାଇପ୍ରୋଫାଇଲ ଆସନ ଉପରେ ସମସ୍ତଙ୍କ ନଜର ରହିଥିଲା । ନୂଆଦିଲ୍ଲୀ ବିଧାନସଭା ଆସନରୁ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ଟକ୍କର ଦେଇଥିଲେ ବିଜେପି ନେତା ପରଭେଶ ବର୍ମା ।