ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ସରିଲା ମତଦାନ । ବୁଧବାର କଡ଼ା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିଥିଲା । ଦିଲ୍ଲୀର କିଛି ହାଇପ୍ରୋଫାଇଲ ଆସନ ଉପରେ ସମସ୍ତଙ୍କ ନଜର ରହିଥିଲା । ନୂଆଦିଲ୍ଲୀ ବିଧାନସଭା ଆସନରୁ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ଟକ୍କର ଦେଇଥିଲେ ବିଜେପି ନେତା ପରଭେଶ ବର୍ମା । ତେବେ ମତଦାନ ସରିବା ସହ ଏବେ ସାମ୍ନାକୁ ଆସିଛି ବୁଥ୍ ବାହୁଡା ମତ । ଏଥିରେ ଅଧିକାଂଶ ଏଗଜିଟ୍ ପୋଲ ବିଜେପି ଏଥର ସରକାର ଗଢିବା ନେଇ ଆକଳନ କରିଛି । ସେହିପରି ଗତଥର ଭଳି ଏଥର ବି କଂଗ୍ରେସ୍ ଖାତା ଖୋଲିବା ସମ୍ଭାବନା କ୍ଷୀଣ ।
୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ପିଏମ୍ଏଆରକୁ୍ୟର ଏଗଜିଟ୍ ପୋଲ ଆକଳନ କହୁଛି, ଦିଲ୍ଲାରେ ଆପ୍ ୨୧ରୁ ୩୧ ଆସନ ଜିତିପାରେ, ସେହିପରି ବିଜେପି ୩୯ରୁ ୪୯ ସିଟ୍ ଜିତିବା ନେଇ ଅନୁମାନ କରାଯାଉଛି । ତେବେ କଂଗ୍ରେସର ଖାତା ଦିଲ୍ଲୀରେ ଶୂନ୍ କିମ୍ବା ଏକ ରହିପାରେ ବୋଲି ପୂର୍ବାନୁମାନ କରିଛି ପିଏମଏଆରକ୍ୟୁ ।
ଅନ୍ୟପଟେ ମାଟ୍ରିଜର ଏକଜିଟ୍ ପୋଲ୍ ମୁତାବକ, ଦିଲ୍ଲୀରେ ବିଜେପିକୁ ୩୫ରୁ ୪୦ ସିଟ୍ ମିଳିପାରେ, ଏହାସହ ଆପକୁ ୩୨ରୁ ୩୭, କଂଗ୍ରେସକୁ ଶୂନ୍ କିମ୍ବା ୧ ସିଟ୍ ମିଳିପାରେ ।
ଅଧିକ ପଢନ୍ତୁ: ସରିଲା ଦିଲ୍ଲୀ ନିର୍ବାଚନ; ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ, ୭୦ ଆସନ ପାଇଁ ସନ୍ଧ୍ୟା ୫ଟା ସୁଦ୍ଧା ହୋଇଛି ୫୭,୭ ପ୍ରତିଶତ ମତଦାନ
‘ପିପୁଲସ୍ ଇନସାଇଟ୍’ର ଏକଜିଟ୍ ପୋଲ୍ ସର୍ଭେ କହୁଛି- ବିଜେପି ୪୦ରୁ ୪୪ ସିଟ୍, ଆପ୍ ୨୫ରୁ ୨୯ ଏବଂ କଂଗ୍ରେସ ୦ରୁ ୨ଟି ସିଟ୍ ଜିତିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ‘ପିପୁଲସ୍ ପଲସ୍’ ସର୍ଭେ ଅନୁଯାୟୀ- ବିଜେପି ୫୧ରୁ ୬୦ଟି ସିଟ୍ ଏବଂ ଆପ୍ ୧୦ରୁ ୧୯ଟି ସିଟ୍ ଜିତିପାରେ ।
ସେହିପରି ‘JVC’ ସର୍ଭେ ବିଜେପିକୁ ୩୯ରୁ ୪୫ଟି ସିଟ୍ ଦେଇଥିବା ବେଳେ ଆପ୍କୁ ୨୨ରୁ ୩୧ ଏବଂ କଂଗ୍ରେସକୁ ୦ରୁ ୨ଟି ସିଟ୍ ଦେଇଛି । ‘ପୋଲ୍ ଡାଏରୀ’ର ସର୍ଭେ ଅନୁସାରେ ବିଜେପିକୁ ୪୨ରୁ ୫୦ ସିଟ୍, ଆପ୍ କୁ ୧୮ରୁ ୨୫ ଏବଂ କଂଗ୍ରେସକୁ ୦ରୁ ୨ଟି ସିଟ୍ ମିଳିବାର ସମ୍ଭାବନା ରହିଛି । ତେବେ ଏଗଜିଟ୍ ପୋଲର ଆକଳନ ସତ ହେଉଛି କି ନାହିଁ ତାହା ଆସନ୍ତା ଫେବୃୟାରୀ ୮ରେ ଫଳଫଳା ବାହାରିବା ପରେ ସ୍ପଷ୍ଟ ହେବ ।