ଭୁୁବନେଶ୍ୱର: ୱାକଫ ବିଲ୍ ଭୋଟିଂକୁ ନେଇ ବିଜୁ ଜନତା ଦଳରେ ଉଠିଥିବା ଝଡ ପ୍ରଶମିତ ହେବା ବଦଳରେ ଆହୁରି ଜଟିଳ ହେବାରେ ଲାଗିଛି । ଦୁଇ ଗୋଷ୍ଠୀ ବର୍ତ୍ତମାନ ମୁହାଁମୁହିଁ ସ୍ଥିତିରେ । ଗୋଟିଏ ଗୋଷ୍ଠୀ ପାଣ୍ଡିଆନକୁ ସମର୍ଥନ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ । ଆଉ ଏହା ମଧ୍ୟରେ ପାଣ୍ଡିଆନ ସପକ୍ଷବାଦୀଙ୍କ ବିରୋଧରେ ବିଷ ଓଗାଳିବା ସହ ଦଳର ପରାଜୟର କାରଣ କହିଛନ୍ତି ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ।
ସେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଲେଖିଛନ୍ତି ଯେ, ଓଡିଆ ଅସ୍ମିତା ପାଇଁ ବିଜେଡି ପରାଜୟ ଭୋଗିଛି । ନିକଟରେ , ଯେଉଁମାନେ ବିଜୁ ଜନତା ଦଳରେ ଯୋଗ ଦେଇ କିଛି ପଦ ପଦବୀ ପାଇଛନ୍ତି, ସେମାନେ ନା ଏ ଦଳର ଇତିହାସ ଜାଣିଛନ୍ତି ନା ନବୀନ ବାବୁଙ୍କ ନା ବିଜୁ ବାବୁଙ୍କ ଆଦର୍ଶ ଜାଣିଛନ୍ତି। ଦଳ ପ୍ରତିଷ୍ଠା ହେବା ଦିନରୁ ଲକ୍ଷ ଲକ୍ଷ କର୍ମୀ ଓ ବରିଷ୍ଠ ନେତା ଅଜସ୍ର ସଂଗ୍ରାମ ଓ ସଂଘର୍ଷ କରି ଏକ ଆଞ୍ଚଳିକ ଦଳକୁ ଜାତୀୟସ୍ତରରେ ପହଞ୍ଚେଇ ପାରିଥିଲେ। ମାତ୍ର ଏବେର କିଛି ନେତା ଓ ନେତ୍ରୀମାନେ ନବୀନ ବାବୁଙ୍କ ଆଦର୍ଶ, ଧର୍ମନିରପେକ୍ଷତା ଓ ଓଡ଼ିଶାପ୍ରତି ପ୍ରତିବଦ୍ଧତା ସହ ଅପରିଚିତ। ସେମାନେ ଆଉ କାହା ଈଶାରାରେ ପରିଚାଳିତ।
ଦେବାଶିଷ ଏହା ମଧ୍ୟ କହିଛନ୍ତି, ସ୍ୱାଭିମାନ ନଥିବା ସ୍ୱାର୍ଥବାଦୀଙ୍କ ସମ୍ପର୍କରେ ମାତ୍ର ଏତିକି କୁହା ଯାଇପାରେ, ନା ସେମାନେ ଦଳର ନା ସେମାନେ ଓଡ଼ିଶାର ନା ସେମାନେ ନବୀନ ପଟ୍ଟନାୟକଙ୍କର। ଶେଷରେ ଏତିକି କହିବି, ଗତ ନିର୍ବାଚନରେ ବିଜୁ ଜନତା ଦଳର ପରାଜୟ \' ଓଡ଼ିଆ ଅସ୍ମିତା \' ପାଇଁ ହେଇଥିଲା। ଆମେ ଜଗନ୍ନାଥ ପ୍ରଦେଶର ଲୋକ। ଆମ ଅସ୍ମିତା ରକ୍ଷା କରିବା ଆମର ମୂଳଲକ୍ଷ।
ସୂଚନାଯୋଗ୍ୟ, ଶେଷ ମୁହୂର୍ତ୍ତରେ ରାଜ୍ୟସଭାରେ ୱାକଫ ବିଲ୍ ଉପରେ ଭୋଟିଂ ପୂର୍ବରୁ ୟୁଟର୍ଣ୍ଣ ମାରିଥିଲା ବିଜେଡି । ପ୍ରଥମେ ବିଧେୟକକୁ ବିରୋଧ କରୁଥିବା ବିଜେଡି ଭୋଟିଂ ସମୟରେ ସାଂସଦଙ୍କ ବିବେକ ଉପରେ ଛାଡିଥିଲା । ରାଜ୍ୟସଭାରେ ବିଜେଡିର ଦଳୀୟ ନେତା ସସ୍ମିତ ପାତ୍ର ଟୁଇଟ୍ କରି ସାଂସଦମାନେ ନିଜ ବିବେକ ଅନୁସାରେ ଭୋଟ୍ ଦେଇ ପାରିବେ । ଏ ନେଇ ଦଳ ପକ୍ଷରୁ କୌଣସି ହ୍ୱିପ୍ ଜାରି କରାଯାଇ ନାହିଁ । ସସ୍ମିତ ପାତ୍ର ଭିକେ ପାଣ୍ଡିଆନଙ୍କ ଇସାରାରେ ଏମିତି କରିଥିବା ସିଧାସଳଖ ଅଭିଯୋଗ କରିଥିଲେ ଦେବାଶିଷ ସାମନ୍ତରାୟ । ଆଉ ଏହା ପରଠୁ ବିଜେଡିରେ ଝଡ ସୃଷ୍ଟି ହୋଇଛି ।