ଭୁୁବନେଶ୍ୱର: ନୂଆ ସଭାପତି ନିଯୁକ୍ତି ପରେ ଆକ୍ଟିଭ ମୋଡରେ ରାଜ୍ୟ କଂଗ୍ରେସ । ନେତା ଓ କର୍ମୀଙ୍କ ମନରେ ଉତ୍ସାହ ଭରିବା ସହ ଦଳର ସଂଗଠନକୁ ମଜବୁତ କରିବା ଓ ଲୋକଙ୍କ ନିକଟତର ହେବା ଉଦ୍ଦେଶ୍ୟରେ ଆଜିଠୁ ଆରମ୍ଭ ହୋଇଛି କଂଗ୍ରେସର ସଂକଳ୍ପ ପଦଯାତ୍ରା । ପୁରୀ ଅଭିମୁଖେ ୩ ଦିନିଆ ପଦଯାତ୍ରା ଆରମ୍ଭ ହୋଇଛି । ଭୁବନେଶ୍ୱର ବିମାନ ବନ୍ଦରରୁ ପୁରୀ ଯାଏ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ସଂକଳ୍ପ ପଦଯାତ୍ରା ବାହାର କରିଛି କଂଗ୍ରେସ ।
ପଦଯାତ୍ରାରେ ଶତାଧିକ ସଂଖ୍ୟାରେ କର୍ମୀ ସାମିଲ ହୋଇଛନ୍ତି । ହାତରେ କଂଗ୍ରେସର ପତାକା ଧରି ନାରା ଲଗାଇ ଆଗକୁ ବଢୁଛନ୍ତି । ବିମାନ ବନ୍ଦରରୁ ଆରମ୍ଭ ହୋଇଥିବା ପଦ ଯାତ୍ରା କ୍ୟାପିଟାଲ ହସ୍ପିଟାଲ ଛକ, ଶିଶୁଭବନ, ରାଜମହଲ ଓ କଳ୍ପନା ଛକ ଦେଇ ଲିଙ୍ଗିପୁରରେ ପହଞ୍ଚିବ ପଦଯାତ୍ରା । ସେଠାରୁ ପିପିଲି ଯାଇ ରାତ୍ରୀଯାପନ କରିବେ ପିସିସି ସଭାପତି ଭକ୍ତ ଦାସ ।
ଏହା ପରେ ପିପିଲିରୁ ଚନ୍ଦନପୁର ଓ ୨୦ ତାରିଖରେ ଚନ୍ଦନପୁରରୁ ପୁରୀ ଅଭିମୁଖେ ବାହାରିବ ପଦଯାତ୍ରା । ୨୦ ତାରିଖରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଗଣମାଧ୍ୟମକୁ ସଂକଳ୍ପ ପଦଯାତ୍ରା ବିଷୟରେ କହିବେ ପିସିସି ସଭାପତି । ପଦଯାତ୍ରାକୁ ସଫଳ କରିବା ପାଇଁ ବିଭିନ୍ନ ଜିଲ୍ଲାର ଜିଲ୍ଲା ସଭାପତିମାନଙ୍କୁ ଦାୟିତ୍ୱ ଦିଆଯାଇଛି ।
ଉଲ୍ଲେଖନୀୟ ସାତ ମାସ ପରେ ରାଜ୍ୟ କଂଗ୍ରେସକୁ ମିଳିଛି ନୂଆ ସଭାପତି । ଏହା ପରେ ଆକ୍ଟିଭ ମୋଡକୁ ଆସିଛି କଂଗ୍ରେସ । ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହାର କରି ରାଜ୍ୟ ସଭାପତି ଦଳ ଛାଡିଥିବା ନେତାଙ୍କୁ ଫେରିବାକୁ ଅପିଲ୍ କରିଛନ୍ତି । ସେ କହିଛନ୍ତି ଯେ, ଦଳ ଛାଡିଥିବା ନେତାଙ୍କ ପାଇଁ କଂଗ୍ରେସର ଦ୍ୱାର ଖୋଲା ଅଛି ।