ଭୁୁବନେଶ୍ୱର: ଝୋଟ ବ୍ୟାଗ୍ ବଣ୍ଟନ ଖର୍ଚ୍ଚ ନେଇ ଆସିଲା ହୋସ୍ ଉଡାଇବା ଭଳି ତଥ୍ୟ । ନିର୍ବାଚନ ପୂର୍ବରୁ ତତ୍କାଳୀନ ବିଜେଡି ସରକାର ବାଣ୍ଟିଥିବା ଝୋଟ ବ୍ୟାଗ ଖର୍ଚ୍ଚ ନେଇ ବିଧାନସଭାରେ ରଖାଗଲା ତଥ୍ୟ । ଝୋଟ ବ୍ୟାଗ ବଣ୍ଟନରେ ଖର୍ଚ୍ଚ ହୋଇଛି ୨୪୭ କୋଟି ୩୬ ଲକ୍ଷ ଟଙ୍କା । ବଡଚଣ୍ଡା ବିଧାୟକ ଅମରେନ୍ଦ୍ର ଦାସଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତରରେ ଏହା କହିଛନ୍ତି ।
ମନ୍ତ୍ରୀ କହିଛନ୍ତି, ୨ଟି ବ୍ୟାଗ ସହ ପରିବାର ପିଛା ୧ ହଜାର ଟଙ୍କା ବଣ୍ଟା ଯାଇଥିଲା । ବ୍ୟାଗ ବଣ୍ଟନରେ ୨୪୭ କୋଟି ୩୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୧ ହଜାର ଟଙ୍କା ବଣ୍ଟନରେ ଖର୍ଚ୍ଚ ହୋଇଛି ମୋଟ୍ ୯୫୯ କୋଟି ୫ ଲକ୍ଷ ଟଙ୍କା । ନିର୍ବାଚନ ପୂର୍ବରୟ ପରିବାର ପିଛା ୨ଟି ବ୍ୟାଗ ଏବଂ ଏକ ହଜାର ଟଙ୍କା ବଣ୍ଟା ଯାଇଥିଲା ।
ସୂଚନାଯୋଗ୍ୟ, ବ୍ୟାଗ ଏବଂ ଟଙ୍କା ବଣ୍ଟନକୁ ନେଇ ରାଜ୍ୟର ଅନେକ ଅଞ୍ଚଳରେ ବିରୋଧର ସ୍ୱର ଉଠିଥିଲା । ଲୋକେ ଫାଇଭ ଟି ନାମରେ ବଣ୍ଟା ଯାଇଥିବା ଏହି ବ୍ୟାଗକୁ ଫିଙ୍ଗିବା ସହ ପୋଡୁଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ବିଜେଡି ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ବ୍ୟାଗ ସହ ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଲୋଭିତ କରିବାର ରଣନୀତି ବିଜେଡିକୁ କାମ ଦେଇ ନ ଥିଲା ।
ନିର୍ବାଚନକୁ ଦୃଷ୍ଟିରେ ରଖି ତତ୍କାଳୀନ ବିଜେଡି ସରକାର ମାଗଣା ରାସନ ପାଉଥିବା ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି ନେଇଥିଲେ । ଏହି ଆଧାରରେ ନବୀନ ପଟ୍ଟନାୟକ ସରକାର ରାଜ୍ୟର ପ୍ରାୟ ୯୫.୯ ଲକ୍ଷ ପରିବାରକୁ ଏକ ହଜାର ଟଙ୍କା ଲେଖାଏଁ ସହ ଫାଇଭ ଟି ଲେଖା ହୋଇଥିବା ଦୁଇଟି ଝୋଟ ବ୍ୟାଗ ବାଣ୍ଟିଥିଲେ, ଯାହାକୁ ସାଧାରଣ ଜନତା ନାପସନ୍ଦ କରିବା ସହ ନିର୍ବାଚନ ସମୟରେ ବିଜେଡିର ଏହି ଭେଳିକିକୁ ଅଗ୍ରାହ୍ୟ କରି ଦେଇଥିଲେ ।