ମୁମ୍ବାଇ: ଏନସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଧିକିଙ୍କ ହତ୍ୟାକାଣ୍ଡକୁ ନେଇ ଗୋଟିଏ ପରେ ଗୋଟିଏ ପରଦା ଉପରୁ ରହସ୍ୟ ହଟିବାରେ ଲାଗିଛି । ସିଦ୍ଧିକିଙ୍କ ହତ୍ୟାକାଣ୍ଡରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର ହାତ ଥିବା ମୁମ୍ବାଇ ପୁଲିସ ସ୍ପଷ୍ଟ କରିଛି । ଲରେନ୍ସ ବିଷ୍ଣୋଇ ପାଖରେ ୭୦୦ ସୁଟର ଥିବା କୁହାଯାଏ । ତେବେ ୩୧ ବର୍ଷୀୟ ଏହି ଲେରନ୍ସ କିଏ ଏବଂ କେମିତି ଅପରାଧ ଦୁନିଆରେ ନିଜର ଆଧିପତ୍ୟ ବିସ୍ତାର କଲା ତାହା ଏବେ ସମସ୍ତଙ୍କ ମନରେ ଉତ୍କଣ୍ଠା ଭରି ଦେଇଛି । ଯାହାକୁ ଦାଉଦ ଇବ୍ରାହିମ ସହିତ ତୁଳନା କରାଯାଉଛି ।
କିଏ ଏହି ଲରେନ୍ସ ?
୧୯୯୩ ମସିହାରେ ପଞ୍ଜାବର ଫିରୋଜପୁରଠାରେ ଜନ୍ମ ଗ୍ରହଣ କରିଥିଲା ଲରେନ୍ସ ବିଷ୍ଣୋଇ । ତାଙ୍କ ବାପା ହରିୟାଣା ପୁଲିସର ଜଣେ କନଷ୍ଟେବଳ ଥିଲେ । ଲରେନ୍ସ ଅବୋହର ଜିଲ୍ଲାରୁ ଦ୍ୱାଦଶ ପର୍ଯ୍ୟନ୍ତ ପଢ଼ିଛି । ୨୦୧୦ରେ ସେ ଚଣ୍ଡିଗଡ଼ର ଡିଏଭି କଲେଜରେ ପଢ଼ିଥିଲା । ୨୦୧୧ରେ ସେ ପଞ୍ଜାବ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନ ବେଳେ ଛାତ୍ର ରାଜନୀତିରେ ପ୍ରବେଶ କରିଥିଲା । ପଢ଼ୁଥିବାବେଳେ ଗୋଲଡ଼ି ବ୍ରାର ସହିତ ସାକ୍ଷାତ ହୋଇଥିବା, ଆଉ ଏହା ପରେ ସେ ଛାତ୍ର ନେତାରୁ ଧୀରେ ଧୀରେ ପାଲଟି ଯାଇଥିଲା ଗ୍ୟାଙ୍ଗଷ୍ଟର । ଏହା ପରେ ଅପରାଧ ଦୁନିଆରେ ସକ୍ରିୟ ହୋଇଥିଲା । ସାମାନ୍ୟ ଚୋରିଠାରୁ ଆରମ୍ଭ କରି ହତ୍ୟା ପର୍ୟ୍ୟନ୍ତ ସବୁ କ୍ଷେତ୍ରରେ ନିଜର ଦବ ଦବା ରଖିଥିଲା ।
୨୦୨୨ରେ ପଞ୍ଜାବୀ ପପ୍ ସିଙ୍ଗର ସିଦ୍ଧୁ ମୁସେୱାଲାକୁ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିଲା । ଏଥିରେ ମଧ୍ୟ ଲରେନ୍ସର ସମ୍ପୃକ୍ତି ରହିଥିଲା । ସେ ବର୍ତ୍ତମାନ ମଧ୍ୟ ଗୁଜରାଟ ସାବରମତୀ ଜେଲରେ ରହିଛି । ଲରେନ୍ସ ବିଷ୍ଣୋଇନିକଟେରେ ୭୦୦ ରୁ ଅଧିକ ସୁଟର୍ ରହିଛନ୍ତି । କେବଳ ପଞ୍ଜାବରେ ୩୦୦ ସୁଟର ତା ଗ୍ୟାଙ୍ଗରେ କାମ କରୁଛନ୍ତି । ଏନେଇ ଏନଆଇଏ ଚାର୍ଜସିଟରେ ଉଲ୍ଲେଖ କରିଛି । ଏହା ବିଦେଶରେ ମଧ୍ୟ ଲରେନ୍ସର ଅପରାଧ ଦୁନିଆ ରହିଛି ।
ଲରେନ୍ସର ଟାର୍ଗେଟରେ ସଲମାନ ଖାନ
ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ଟାର୍ଗେଟ୍ କରି ଚର୍ଚ୍ଚାକୁ ଆସିଥିଲା ଲରେନ୍ସ । ୧୯୯୮ ରାଜସ୍ଥାନରେ କୃଷ୍ଣସାର ମୃଗ ହତ୍ୟା ମାମଲାରେ ସଲମାନ ଛନ୍ଦି ହେବା ପରେ ତାଙ୍କୁ ହତ୍ୟା ଧମକ ଦେଇଥିଲା ଗ୍ୟାଙ୍ଗ ଷ୍ଟାର । ତେଣୁ ସଲମାନଙ୍କୁ ହତ୍ୟା କରିବାକୁ ଦିଲ୍ଲୀ ତିହାର ଜେଲରୁ ଧମକ ଦେଇଛି ଲରେନ୍ସ । ନିକଟରେ ଜଣେ ମହିଳା ସଲମାନଙ୍କ ବାପା ସଲିମ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ନାମରେ ହତ୍ୟା ଧମକ ଦେଇଥିଲା । ଏହା ପୂର୍ବରୁ ସଲମାନଙ୍କ ମୁମ୍ବାଇସ୍ଥିତ ବାସଭବନ ଉପରେ ମଧ୍ୟ ଫାଙ୍କା ଗୁଳି ଚାଳନା କରାଯାଇଥିଲା । ଅନ୍ୟପକ୍ଷରେ ସ୍ୱର୍ଗତ ବାବା ସିଦ୍ଧିକିଙ୍କ ସହିତ ମଧ୍ୟ ସଲମାନଙ୍କର ବହୁତ ଘନିଷ୍ଠ ସମ୍ପର୍କ ରହିଥିଲା । ସିଦ୍ଧିକି ଏବଂ ସଲମାନଙ୍କ କାମ କାର୍ଯ୍ୟରେ ପରସ୍ପରଙ୍କ ଉପସ୍ଥିତି ମଧ୍ୟ ଦେଖିବାକୁ ମିଳୁଥିଲା । ସେଥିପାଇଁ ବାବା ସିଦ୍ଧିକିଙ୍କ ହତ୍ୟା ପରେ ସଲମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।