ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆରସିବିର ବିଜୟ ଉତ୍ସବ ସମୟରେ ଦଳାଚକଟା ମାମଲାରେ କ୍ରିକେଟର୍ ବିରାଟ କୋହଲିଙ୍କ ନାଁରେ ଅଭିଯୋଗ ହୋଇଚି । ଏଚ୍ ଏମ୍ ଭେଙ୍କଟେଶ ନାମକ ଜଣେ ସାମାଜିକ କର୍ମୀ କୁବନ ପାର୍କ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ପୋଲିସ ଏ ନେଇ ପ୍ରତିକ୍ରିୟା ରଖିଛି । ପୋଲିସ ଜାତୀୟ ଗଣମାଧ୍ୟମକୁ କହିଛି ଯେ କୋହଲିଙ୍କ ବିରୋଧରେ ଅଭିଯୋଗକୁ ଭିନ୍ନ ମାମଲା ଅନୁଯାୟୀ ବିଚାର କରାଯିବ ଏବଂ ଘଟଣାର ତଦନ୍ତର ଅଂଶ ଭାବରେ ସମୀକ୍ଷା କରାଯିବ ।
ସାମାଜିକ କର୍ମୀ ଏଚ୍.ଏମ୍. ଭେଙ୍କଟେଶ ତାଙ୍କ ଅଭିଯୋଗରେ ଦାବି କରିଛନ୍ତି ଯେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) "ଏକ ଖେଳ ନୁହେଁ ବରଂ ଏକ ଜୁଆ ଯାହା କ୍ରିକେଟ୍ ଖେଳକୁ କଳୁଷିତ କରିଛି।" ଆର୍.ସି.ବି. ଦଳର ବିରାଟ କୋହଲି ଏପରି ଏକ ଜୁଆରେ ଅଂଶଗ୍ରହଣ କରିଛନ୍ତି ଏବଂ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକାଠି ହେବାକୁ ଲୋକଙ୍କୁ ପ୍ରୋତ୍ସାହିତ କରିଛନ୍ତି । ଏହି ଦୁଃଖଦ ଘଟଣା ଘଟାଇଥିବା ଲୋକଙ୍କ ମଧ୍ୟରେ ସବୁଠାରୁ ପ୍ରମୁଖ ବ୍ୟକ୍ତି ଅଟନ୍ତି । ତେଣୁ, ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ଦୟାକରି ବିରାଟ କୋହଲି ଏବଂ ତାଙ୍କ ଦଳର ସଦସ୍ୟମାନଙ୍କୁ ଏହି ଦୁଃଖଦ ଘଟଣାରେ ଅଭିଯୁକ୍ତ କରନ୍ତୁ ଏବଂ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।"
ବେଙ୍ଗାଲୁରୁ ଦଳାଚକଟା ମାମଲା ସହିତ ଜଡିତ ଚାରି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଡିଏନଏ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମାର୍କେଟିଂ ଏବଂ ରାଜସ୍ୱ ମୁଖ୍ୟ ନିଖିଲ ସୋସାଲେ, ବ୍ୟବସାୟ ବ୍ୟାପାରର ଉପାଧ୍ୟକ୍ଷ ସୁନୀଲ ମାଥ୍ୟୁ, ବରିଷ୍ଠ ଇଭେଣ୍ଟ ମ୍ୟାନେଜର କିରଣ କୁମାର ଏବଂ ଟିକେଟିଂ ଅପରେସନର ମୁଖ୍ୟ ସୁମନ୍ତ ସାମିଲ। ୧୪ତମ ଏସିଏମଏମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଚାରି ଜଣଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।