ନୂଆଦିଲ୍ଲୀ: ବିଶ୍ୱରେ ଅର୍ଥିନୈତିକ କ୍ଷେତ୍ରରେ ଚତୁର୍ଥ ସ୍ଥାନ ହାସଲ କରିଥିବା ଭାରତରେ ଜୀବନଧାରଣ ମାନ ବୃଦ୍ଧି ପାଇଛି । ଆଉ ଭାରତରେ ଦ୍ରୁତଗତିରେ କମୁଛି 'ଅତ୍ୟନ୍ତ ଦାରିଦ୍ର୍ୟ' ହାର । ବିଗତ ଏକ ଦଶନ୍ଧିରେ ଭାରତର ଦାରିଦ୍ର୍ୟତା ହାର ୨୭.୧ %ରୁ ୫.୩%କୁ ଖସିଛି । ବିଶ୍ୱ ବ୍ୟାଙ୍କ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି ।
ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ, ବିଗତ ଏକ ଦଶନ୍ଧିରେ ଭାରତର ଦାରିଦ୍ର୍ୟତା ହାର ୨୭.୧ %ରୁ ୫.୩%କୁ ଖସିଛି । ଯାହାକି ପୂର୍ବରୁ ୨୦୧୧-୧୨ରେ ଏହା ଥିଲା ୨୭.୧% ଥିଲା । ୨୦୨୨-୨୩ରେ ଦାରିଦ୍ର୍ୟ ହାର ୫.୩%ରେ ପହଁଚିଛି । ଦାରିଦ୍ର୍ୟରେ ବାସ କରୁଥିବା ଲୋକଙ୍କ ସଂଖ୍ୟା ୩୪୪.୪୭ ନିୟୁତରୁ ୭୫.୨୪ ନିୟୁତକୁ ହ୍ରାସ ପାଇଛି । ଏହାର ଅର୍ଥ ହେଉଛି ଏହି ସମୟ ମଧ୍ୟରେ ପ୍ରାୟ ୨୬୯ ନିୟୁତ ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି । ବିଶ୍ୱ ବ୍ୟାଙ୍କ ଏକ କଠୋର ମାପକ ମାନଦଣ୍ଡ କାର୍ଯ୍ୟକାରୀ କରିବା ଏହି ମୂଲ୍ୟାଙ୍କନ କରିଥାଏ । ବିଶେଷକରି ପାଞ୍ଚଟି ରାଜ୍ୟ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶରେ ଆଖି ଦୃଶିଆଭାବେ ଏହି ସଂଖ୍ୟାରେ ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି । ଏହି ରାଜ୍ୟମାନଙ୍କରେ ପୂର୍ବରୁ ୨୦୧୧-୧୨ରେ ଭାରତର ଅତି ଗରିବ ଲୋକଙ୍କ ହାର ୬୫% ଥିବାବେଳେ ୨୦୨୨-୨୩ ସୁଦ୍ଧା ଅତି ଦାରିଦ୍ର୍ୟ ହ୍ରାସର ଦୁଇ-ତୃତୀୟାଂଶ ହ୍ରାସ ପାଇଛି ।
ସେହିପରି ୨୦୨୨-୨୩ରେ ଭାରତୀୟମାନେ ଅତ୍ୟନ୍ତ ଦାରିଦ୍ର୍ୟ ଅନୁଭବ କରୁଥିବାର ଅନୁପାତ ୨.୩%କୁ ହ୍ରାସ ପାଇଛି, ଯାହା ୨୦୧୧-୧୨ରେ ୧୬.୨% ଥିଲା । ଯଦି ଆମେ ସଂଖ୍ୟାରେ ଦେଖିବା ତାହା ହେଲେ ଅତ୍ୟନ୍ତ ଦାରିଦ୍ର୍ୟ ସୀମା ରେଖାରେ ବଞ୍ଚୁଥିବା ଲୋକଙ୍କ ସଂଖ୍ୟା ୨୦୧୧-୧୨ରେ ୨୦୫.୯୩ ନିୟୁତରୁ ୨୦୨୨-୨୩ରେ ୩୩.୬୬ ନିୟୁତକୁ ଖସି ଆସିଛି । ଅର୍ଥାତ୍ ୧୭୨ ନିୟୁତ ବ୍ୟକ୍ତି ନିର୍ଦ୍ଦିଷ୍ଟ ଦାରିଦ୍ର୍ୟ ସୀମା ଉପରକୁ ଉଠିଛନ୍ତି ।