ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣି ଥରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ କରିଛନ୍ତି । ସେ ଏହାକୁ “ଗଣତନ୍ତ୍ରରେ ଚୋରିର ବ୍ଲୁ ପ୍ରିଣ୍ଟ”ର ଆଖ୍ୟା ଦେଇ ବିଜେପିକୁ ଶାଣିତ ସ୍ୱରରେ ସମାଲୋଚନା କରିଛନ୍ତି । ଶନିବାର ନିଜର ଏକ ପୋଷ୍ଟରେ ରାହୁଲ ଦାବି କରିଛନ୍ତି ଯେ, ମହାରାଷ୍ଟ୍ର ନିର୍ବାଚନରେ ବ୍ୟବସ୍ଥିତ ଭାବେ ହେରାଫରି କରାଯାଇଛି, ଯାହାର ମଡେଲ ଏବେ ବିହାରରେ ଲାଗୁ କରାଯାଇପାରେ ।
ରାହୁଲ ଗାନ୍ଧୀ ନିଜର ଅଭିଯୋଗରେ ବିସ୍ତୃତ ଭାବେ ଉଲ୍ଲେଖ କରିବା ସହ ମ୍ୟାଚ୍ ଫିକ୍ସିଂ ମହାରାଷ୍ଟ୍ର ଶୀର୍ଷକରେ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ଲେଖାକୁ ନିଜର ଏକ୍ସ ପ୍ଲାଟପର୍ମରେ ସେୟାର କରିଛନ୍ତି । ରାହୁଲ ଲେଖିଛନ୍ତି, ନିର୍ବାଚନ କେମିତି କରାଯାଏ ? ୨୦୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଗଣତନ୍ତ୍ରକୁ ଦଳିମକଚି ଦିଆଗଲା । ନିର୍ବାଚନକୁ କେମିତି ବେଆଇନ ଭାବେ ଜିତାଯାଏ ୨୦୨୪ ମହରାଷ୍ଟ୍ର ନିର୍ବାଚନ ହେଉଛି ତାର ମଡେଲ । ଏବେ ଏହି ମଡେଲକୁ ବିହାରରେ ଲାଗୁ କରାଯାଇପାରେ ।
ରାହୁଲ କହିଛନ୍ତି, ମତଦାତା ତାଲିକାରେ ନକଲି ଭୋଟର ଯୋଡାଗଲା । ମତଦାତ ପ୍ରତିଶତକୁ ଅସ୍ୱାଭାବିକ ଭାବେ ବଢାଇ ଦିଆଗାଲ । ସେହି କ୍ଷେତ୍ରରେ ନକଲି ଭୋଟିଂ କରାଗଲା, ଯେଉଁଠି ବିଜେପି ଦୁର୍ବଳ ରହିଥିଲା । ମତଦାନର ଭିଡିଓଗ୍ରାଫି ଓ ସିସିଟିଭି ଫୁଟେଜ ଦେଖିବା ଉପରେ କଟକଣା ଲଗାଯାଇ ନୂଆ ନିୟମ କରାଗଲା ।
ସେ ଏହା ମଧ୍ୟ କହିଛନ୍ତି, କେନ୍ଦ୍ର ସରକାର ୨୦୨୩ରେ ଯେଉଁ ନୂଆ ଆଇନ ଆଣିଲେ ସେହି ଆଧାରରେ ମୁଖ୍ୟ ନିର୍ବାଚନ ଆୟୋଗ ଓ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି କରୁଥିବା କମିଟିର ନିରପେକ୍ଷତାକୁ ସମାପ୍ତ କରି ଦିଆଗଲା । ପ୍ରଥମେ ଏହି କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା ଓ ଭାରତର ପ୍ରଧାନ ବିଚାରପତି ଥିଲେ । ମାତ୍ର ଏବେ ପ୍ରଧାନ ବିଚାରପତିଙ୍କ ସ୍ଥାନରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ ରଖାଗଲା । ଏଥିରୁ ଜଣା ପଡୁଛି ନିର୍ବାଚନରେ କେତେ ପାରଦର୍ଶିତା ଅଛି ।