ନୂଆଦିଲ୍ଲୀ: ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ବର୍ଷ ବର୍ଷ ଧରି ଅଟକି ରହିଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ବା ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ (ଏଫଟିଏ) ପାଇଁ ସୁବର୍ଣ୍ଣ ମୁହୂର୍ତ୍ତ ଉପସ୍ଥିତ ହୋଇଯାଇଛି । ଖୁବ ଶୀଘ୍ର ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି । ଯେଉଁ ଚୁକ୍ତିକୁ ମଦର୍ ଅଫ୍ ଅଲ୍ ଟ୍ରେଡ୍ ବୋଲି ବିବେଚନା କରାଯାଉଛି । ଯାହା ଭାରତ ଏବଂ ବ୍ରସେଲ୍ସ ମଧ୍ୟ ବାଣିଜ୍ୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ଆଶାବ୍ୟକ୍ତ କରାଯାଉଛି । ଯଦି ଏହି ଚୁକ୍ତି ସ୍ୱାକ୍ଷରିତ ହୁଏ ତେବେ ୟୁରୋପରୁ ଆସୁଥିବା ସମସ୍ତ ଦାମୀ ଗାଡ଼ି ଶସ୍ତା ହୋଇଯିବ ।
ଏହା ପୂର୍ବରୁ ଭାରତ ଗସ୍ତରେ ଥିବା ୟୁରୋପୀୟ ଆୟୋଗର ଅଧ୍ୟାକ୍ଷା ଉର୍ସୁଲା ବୋନ୍ ଡେର୍ ଲେୟେନ୍ ଭାରତର ପ୍ରସଂଶାରେ କହିଛନ୍ତି ଯେ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ଜୀବନର ସବୁଠାରୁ ଏକ ବଡ଼ ସମ୍ମାନ । ଏକ ସଫଳ ଭାରତ ଦୁନିଆକୁ ଅଧିକ ସ୍ଥିର, ସମୃଦ୍ଧ ଓ ସୁରକ୍ଷିତ କରୁଛି । ତାଙ୍କର ଏହି ବିବୃତ୍ତି ବହୁ ପ୍ରତିକ୍ଷିତ ଏଫଟିଏ ଚୁକ୍ତିର ଆଶାକୁ ଆହୁରି ଉଜ୍ଜିବୀତ କରିଛି ।
ଆସନ୍ତାକାଲି ମଙ୍ଗଳବାର ଭାରତ-ଇୟୁ ଶିଖର ସମ୍ମିଳନୀରେ ଦୁଇ ଦେଶ ମଧ୍ୟରେ ଲମ୍ବା ସମୟ ଧରି ଅଟକି ରହିଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ହେବାର ସମ୍ଭାବନା ରହିଛି । ଯଦି ଏହି ଚୁକ୍ତି ହୁଏ ତେବେ ୟୁରୋପରୁ ଆସୁଥିବା ସମସ୍ତ କାରର ମୂଲ୍ୟ ଶସ୍ତା ହୋଇଯିବ । କାରଣ କାର୍ ଉପରେ ଲାଗୁଥିବା ୧୧୦ ପ୍ରତିଶତ ଆମଦାନୀ ଶୁଳ୍କକୁ ୪୦ ପ୍ରତିଶତକୁ କରିବାକୁ ପ୍ରସ୍ତାବ ରଖାଯାଇଛି । ଫଳରେ ଭାରତ ସରକାର ୧୫,୦୦୦ ୟୁରୋ ଅର୍ଥାତ ପ୍ରାୟ ୧୬.୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର କାର୍ ଉପରେ ଭାରତ ସରକାର ତୁରନ୍ତ ଟିକସ୍ ହ୍ରାସ କରିବେ ଏବଂ ଭବିଷ୍ୟତର ଏହି ଶୁଳ୍କ ୧୦ ପ୍ରତିଶତ ମଧ୍ୟ ହୋଇପାରେ । ଫଳରେ ବୋକ୍ସୱାଗନ୍, ମର୍ସିଡିଜ୍-ବେଞ୍ଜ୍ ଏବଂ ବିଏମଡବ୍ଲ୍ୟୁ ଭଳି ୟୁରୋପୀୟ କମ୍ପାନୀ ଭାରତୀୟ ବଜାରରେ ପ୍ରବେଶ କରିବା ଅତ୍ୟନ୍ତ ସହଜ ହୋଇଯିବ । ତତସହିତ କାରର ମୂଲ୍ୟ ଭାରତୀୟ ବଜାରର ଶସ୍ତା ହୋଇଯିବ ।
ପୂର୍ବରୁ ୪୫,୦୦୦ରୁ ୫୦,୦୦୦ ୟୁରୋ ମୂଲ୍ୟ କାର୍ ଭାରତରେ ପହଁଚିବା ପରେ ତାହା ଉପରେ ଥିବା ଶୁଳ୍କ ଯୋଗୁଁ ତାହାର ପ୍ରକୃତ ମୂଲ୍ୟ ସହିତ ସମାନ ହୋଇଯାଉଥିଲା । ଫଳରେ କାରର ମୂଲ୍ୟ ବହୁତ ମହଙ୍ଗା ହେଉଥିଲା । ଏହି ଚୁକ୍ତି ହେଲେ କୋଟିଏ ଟଙ୍କାର କାର୍ ୨୫ରୁ ୩୦ ଲକ୍ଷ ପର୍ଯ୍ୟନ୍ତ କମ୍ ହୋଇପାରେ ।
ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା ୨୦୦୭ ମସିହାରେ ଆରମ୍ଭ ହୋଇଥିଲା । କିନ୍ତୁ ୨୦୧୩ ମସିହାରେ ଏହା ବନ୍ଦ ହୋଇଗଲା। ପ୍ରାୟ ନଅ ବର୍ଷ ପରେ, ୨୦୨୨ ମସିହାରେ ଆଲୋଚନା ପୁଣି ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଏହା ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନା ହେଲା । ୧୩୫ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଯାହା ଇୟୁକୁ ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର କରିବ । ଯଦି ସଫଳ ହୁଏ, ତେବେ ଏହି ଚୁକ୍ତିନାମା କେବଳ ଭାରତ-ୟୁରୋପ ସମ୍ପର୍କକୁ ଉନ୍ନତ କରିବ ନାହିଁ ବରଂ ବିଶ୍ୱ ବାଣିଜ୍ୟ ଏବଂ ଭୂ-ରାଜନୀତିରେ ଏକ ନୂତନ ଯୁଗର ଆରମ୍ଭ କରିବ।