ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ମୁଖିଆ ମମତା ବାନାର୍ଜୀଙ୍କୁ ଆଜି ଗୋଟିଏ ଦିନରେ ଡବଲ୍ ଡବଲ୍ ଝଟକା ଲାଗିଛି । ଗୁରୁବାର ପ୍ରଥମେ ରାଜ୍ୟସଭା ପ୍ରକାଶ ଚିକ ବାରାଇକ୍ ଇସ୍ତଫା ଦେବା ପରେ ଏବେ ଆଉ ଜଣେ ସାଂସଦ ମମତାଙ୍କ ହାତ ଛାଡ଼ିଛନ୍ତି । ରାଜ୍ୟସଭା ସାଂସଦ ତଥା ଅଭିନେତ୍ରୀ କୋଏଲ୍ ବାନାର୍ଜୀ ଇସ୍ତଫା ଦେଇଛନ୍ତି । ସେପଟେ ଚର୍ଚ୍ଚିତ ନେତ୍ରୀ ସାୟନୀ ଘୋଷଙ୍କୁ ନେଇ ସସ୍ପେନ୍ସ ଏବେବି ଜାରି ରହିଛି ।
ଗୁରୁବାର ଦିନ ରାଜ୍ୟସଭା ସାଂସଦ ପ୍ରକାଶ ଚିକ୍ ବାରାଇକ ଏବଂ ସାଂସଦ-ଅଭିନେତ୍ରୀ କୋଏଲ ମଲ୍ଲିକ ମଧ୍ୟ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ଗତ ଚାରି ଦିନ ମଧ୍ୟରେ ରାଜ୍ୟସଭାରୁ ଇସ୍ତଫା ଦେଇଥିବା ତୃଣମୂଳ ସାଂସଦଙ୍କ ସଂଖ୍ୟା ଚାରିରେ ପହଞ୍ଚିଛି। ଏହା ପୂର୍ବରୁ, ସୁଖେନ୍ଦୁ ଶେଖର ରାୟ ଏବଂ ସୁସ୍ମିତା ଦେବ ମଧ୍ୟ ରାଜ୍ୟସଭାରୁ ଇସ୍ତଫା ଦେଇ ସାରିଛନ୍ତି । କୋଏଲ ମଲ୍ଲିକଙ୍କୁ ତୃଣମୂଳ କଂଗ୍ରେସ ଫେବୃଆରୀ ମାସରେ ରାଜ୍ୟସଭା ପାଇଁ ମନୋନୀତ କରିଥିଲା ଏବଂ ସେ ଏପ୍ରିଲରେ ସାଂସଦ ଭାବରେ ଶପଥ ନେଇଥିଲେ। ସେତେବେଳେ ସେ ରାଜନୀତିକୁ ଜନସେବାର ମାଧ୍ୟମ ବୋଲି କହିଥିଲେ, କିନ୍ତୁ ସେ ଏବେ ଦଳଠାରୁ ଦୂରେଇ ଯାଇଛନ୍ତି।
ସେପଟେ କୋଏଲଙ୍କ ଇସ୍ତଫା ପରେ ରାଜ୍ୟସଭାରେ ତୃଣମୂଳର ସଂଖ୍ୟା ୧୩ ରୁ ହ୍ରାସ ପାଇ ୯ ହୋଇଛି। ଆଗାମୀ ଦିନରେ ଅଧିକ ସାଂସଦ ଇସ୍ତଫା ଦେଇପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଲୋକସଭାରେ ମଧ୍ୟ ଦଳର ସ୍ଥିତି ଦୁର୍ବଳ ହେଉଥିବା ପରି ମନେ ହେଉଛି ଅନୁମାନ କରାଯାଉଛି ଯେ ବହୁ ସଂଖ୍ୟକ ସାଂସଦ ଅସନ୍ତୁଷ୍ଟ ଗୋଷ୍ଠୀରେ ଯୋଗ ଦେଇପାରନ୍ତି।
ଏକଦା ଅଭିଷେକ ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଭାବରେ ବିବେଚିତ ପ୍ରକାଶ ଚିକ ୨୦୨୩ ମସିହାରେ ତୃଣମୂଳ ଦଳ ରାଜ୍ୟସଭାକୁ ଯାଇଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ଆଲିପୁରଦୁଆରରୁ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲା। ସେ ସମସ୍ତ ଦଳୀୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ପ୍ରକାଶ କହିଛନ୍ତି ଯେ ସେ ସମ୍ପ୍ରତି ନିର୍ବାଚନରେ ଜନସାଧାରଣଙ୍କ ଦ୍ୱାରା ଦିଆଯାଇଥିବା ଜନାଦେଶକୁ ସମ୍ମାନ ଜଣାଇ ଏହି ନିଷ୍ପତ୍ତି ନେଇଛନ୍ତି । ସେ ଆଗାମୀ ଦିନରେ କେବଳ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ କାମ କରିବେ ବୋଲି ଘୋଷଣା କରିସାରିଛନ୍ତି ।
ତୃଣମୂଳ କଂଗ୍ରେସ ଭିତରେ ଚାଲିଥିବା ରାଜନୈତିକ ବିଭ୍ରାଟ ମଧ୍ୟରେ, ସାଂସଦ ଏବଂ ଯୁବ ତୃଣମୂଳ କଂଗ୍ରେସ ସଭାପତି ସାୟୋନୀ ଘୋଷଙ୍କୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି। ଗତକାଲି ରାତିରେ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କ ଦିଲ୍ଲୀ ବାସଭବନରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାୟୋନୀ ଘୋଷ, ମାଲା ରାୟ, ୟୁସୁଫ ପଠାନ, ପ୍ରତିମା ମଣ୍ଡଳ ଏବଂ ମିତାଲି ବାଗ ଉପସ୍ଥିତ ଥିଲେ। ପରେ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମଧ୍ୟ ଯୋଗ ଦେଇ ଆଲୋଚନା କରିଥିଲେ । ଏହା ପରେ ସାୟୋନୀ ଆଜି କୋଲକାତା ଫେରିଛନ୍ତି । କିନ୍ତୁ ସେ କୌଣସି ଘୋଷଣା କରିନାହାଁନ୍ତି । ଯାହାକୁ ସମସ୍ତେ ଚାହିଁ ବସିଛନ୍ତି ।