ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ମୋଟାପଣ, ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦଘାତ ଭଳି ରୋଗ ବଡ଼ ସମସ୍ୟା ହୋଇଯାଇଛି । ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ, କମ ଶାରିରୀକ ପରିଶ୍ରମ, ଶୋଇବା ଏବଂ ବିଶେଷକରି ଖାଇବା ଏହାର ପ୍ରମୁଖ କାରଣ ଅଟେ । ଭାରତୀୟମାନେ ଦୈନିକ ଜଳଖିଆରେ ଖାଉଥିବା ତେଲ ଜାତୀୟ ଖାଦ୍ୟ ଯଥା ବରା, ପୁରୀ, ସିଙ୍ଗଡ଼ା, ଚା ଏବଂ ତମାଖୁ ଆଦି କେତେ ହାନିକାରକ ତାହା ବିଷୟରେ ମଧ୍ୟ ଅଧିକାଂଶ ଲୋକ ଅନବିଜ୍ଞ ଅଟନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏଥିପାଇଁ ଚିନ୍ତାପ୍ରକଟ କରିଛି । ତେଣୁ ଏ ସବୁରେ କେତେ ପରିମାଣ ଫ୍ୟାଟ୍ ଏବଂ ଚିନି ରହିଛି ତାହା ସମସ୍ତଙ୍କୁ ଅବଗତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶାନାମା ଜାରି କରିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶରେ ଥିବା ବିଭିନ୍ନ ଜାତୀୟ ସଂସ୍ଥା ଏବଂ ନାଗପୁର ଏମସକୁ ଖାଦ୍ୟ ସମ୍ବନ୍ଧୀୟ ନିର୍ଦ୍ଦେଶନାମା ଜାରି କରିଛି । ଯେଉଁଥିରେ ସମସ୍ତ ସଂସ୍ଥାରେ ତେଲ ଏବଂ ଚିନିର ବୋର୍ଡ ଲଗାଯିବ । ଯେଉଁ ଖାଦ୍ୟ ଖାଉଛନ୍ତି ସେଥିରେ କେତେ ଚିନି ଏବଂ ତେଲର ପରିମାଣ ରହିଛି ଉକ୍ତ ବୋର୍ଡରେ ସ୍ପଷ୍ଟଭାବରେ ଲେଖାଯିବ । ଫଳରେ ଜଣେ ସାଧାରଣ ବ୍ୟକ୍ତି ଏହାକୁ ଦେଖି ଅବଗତ ହୋଇପାରିବ ଯେ ସେ ଖାଉଥିବା ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ ଏବଂ ହିତକାରୀ ଅଟେ । ଜଙ୍କ୍ ଫୁଡ୍ ଏବଂ ତମାଖୁ ଦ୍ୱାରା ଆସୁଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ରୋକିବାକୁ ଏହା ପ୍ରଥମ ପଦକ୍ଷେପ ବୋଲି କୁହାଯାଉଛି । ଏହି ବୋର୍ଡ ସରକାରୀ ସଂସ୍ଥା ଗୁଡ଼ିକରେ ଏକ ସଠିକ ଚେତାବନୀ ଭଳି କାମ କରିବା ନେଇ ଆଶା କରାଯାଉଛି ।
ନାଗପୁର ଏମ୍ସର ଜଣେ ଅଧିକାରୀଙ୍କ କହିବା ମୁତାବକ, କେବଳ ସରକାରୀ ସଂସ୍ଥା ନୁହେଁ ବରଂ ଫ୍ୟାକ୍ଟ୍ରି ଏବଂ ସାର୍ବଜନୀନ ସ୍ଥାନରେ ମଧ୍ୟ ଏଭଳି ବୋର୍ଡ ଲଗାଯିବ । କେବଳ ସିଙ୍ଗଡ଼ା ଏବଂ ଜିଲାପି ନୁହେଁ ବରଂ ଲଡ଼ୁ, ବଡ଼ା ପାଓଁ ଏବଂ ପକୁଡ଼ି ଉପରେ ମଧ୍ୟ ଏଭଳି ସୂଚନା ଦିଆଯିବ । କାର୍ଡିଓଲୋଜି ଅଫ୍ ଇଣ୍ଡିଆର ନାଗପୁର ଶାଖାର ଅଧ୍ୟକ୍ଷ ଡାକ୍ତର ଅମର ଆମଲେ ମଧ୍ୟ କହିଛନ୍ତି ଯେ ଏସବୁ ଖାଦ୍ୟ ସିଗାରେଟ୍ ଏବଂ ତମାଖୁ ଭଳି ହାନିକାରକ ଅଟେ । ଚିନି ଏବଂ ଟ୍ରାନ୍ସ ଫ୍ୟାଟ୍ ତମାଖୁ ଭଳି ଅଟେ । ତେଣୁ ଲୋକଙ୍କର ଜାଣିବାର ଅଧିକାର ଅଛି ସେମାନେ କଣ ଖାଉଛନ୍ତି ।
ସେହିପରି ଅନ୍ୟଜଣେ ବରିଷ୍ଠ ଡାକ୍ତର ସୁନୀଲ ଗୁପ୍ତାଙ୍କ କହିବା ଅନୁସାରେ, ଏହି ନିୟମ ଖାଇବା ପିଇବା ଉପରେ ରୋକ୍ ଲଗାଇବା ନୁହେଁ ବରଂ ଲୋକମାନେ ଜାଣିବା ଆବଶ୍ୟକ ସେମାନେ ଖାଉଥିବା ମିଠାରେ କେତେ ଚିନି ରହିଛି । ଫଳରେ ସେମାନେ ସଚେତନ ହୋଇପାରିବେ । ମଧୁମେହ, ହୃଦ ରୋଗ ଏବଂ ଉଚ୍ଚ ରକ୍ତଚାପ ଭଳି ରୋଗ ବିରୁଦ୍ଧରେ ଲଢ଼ିବା ଏହି ଅଭିଯାନ ଏକ ଅଂଶ ଅଟେ । ତେବେ ନାଗପୁର ସହର ଏହି ନିୟମକୁ ପାଳନ କରିବାରେ ଦେଶର ପ୍ରଥମ ସହର ହେବ । ଏଠାରେ ଖାଇବା ଉପରେ ରୋକ ଲଗାଇବ ନାହିଁ କିନ୍ତୁ ଯାହାକୁ ଲୋଭରେ ଖାଉଛନ୍ତି ତାହା ନିକଟରେ ଏକ ବୋର୍ଡ ରହିବ, ସେଥିରେ ଲେଖା ରହିବ ‘ବୁଝି ବିଚାରି ଖାଆନ୍ତୁ’, ଆପଣଙ୍କ ଶରୀର ଆପଣଙ୍କ ଉପରେ କୃତଜ୍ଞ ରହିବ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବର୍ଦ୍ଧିତ ମୋଟାପଣକୁ ନେଇ ଅଧିକ ଚିନ୍ତା ପ୍ରକଟ କରିଛନ୍ତି । ୨୦୫୦ ବେଳକୁ ଦେଶର ୪୪.୯ କୋଟି ଜନତା ମୋଟାପଣର ଶୀକାର ହେବା ଆଶଙ୍କା କରାଯାଉଛି । ଆମେରିକା ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିବ । ବର୍ତ୍ତମାନ ସହରରେ ପ୍ରତି ୫ ଜଣରେ ଜଣେ ବ୍ୟକ୍ତି ମୋଟାପଣର ଶୀକାର ହେଉଛନ୍ତି । ସେହିପରି ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ମୋଟାପଣ, ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଶାରୀରିକ ପରିଶ୍ରମ ମଧ୍ୟ ହ୍ରାସ ପାଉଛି । ଯାହାକି ଅତ୍ୟନ୍ତ ଚିନ୍ତାଜନକ ଅଟେ ।