ସୁରେନ୍ଦ୍ରନଗର: ଗୁଜରାଟର ରାଜକୋଟରେ ଏକ ଭୟଙ୍କର ଦୁର୍ଘଟଣା ହୋଇଛି । ମନ୍ଦିରକୁ ଚାଲି ଚାଲି ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ି ଯାଇଛି ଦ୍ରୁତଗାମୀ ଟ୍ରକ୍ । ଫଳରେ ୬ ଜଣ ଶ୍ରଦ୍ଧାଳୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି।
ରବିବାର ବିଳମ୍ବିତ ରାତିରେ ଏକ ତୀର୍ଥଯାତ୍ରୀ ଦଳ ରାଜକୋଟର ଗଡ଼କା ଗ୍ରାମରୁ ଡେକାୱାଲାର ଏକ ମନ୍ଦିରକୁ ପଦଯାତ୍ରା କରୁଥିଲେ। ସୁରେନ୍ଦ୍ରନଗରର ଭାସ୍କରପାରା ନିକଟରେ ଲଖତର-ବିରାମଗାମ ରାଜପଥରେ ଉପରେ ତୀର୍ଥଯାତ୍ରୀ ରାସ୍ତାକଡ଼ରେ ଠିଆ ହୋଇଥିବା ଆଉ ଏକ ଡମ୍ପର ଗାଡ଼ିକୁ ପାର କରି ଯାଉଥିଲେ । ଏହି ସମୟରେ ଏକ ଟ୍ରକ ପଛରୁ ଆସି ପ୍ରାୟ ଦଶ ଜଣଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଛଅ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଆଉ ସମସ୍ତଙ୍କ ମୃତ ଦେହ ଖଣ୍ଡବିଖଣ୍ଡିତ ହୋଇ ରାସ୍ତାରେ ଛିଟିକି ପଡ଼ିଥିଲା ।
ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଯାତ୍ରୀମାନେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା । ଟ୍ରକ୍ ଧକ୍କାରେ ଗୁରୁତର ଥିବା ଡମ୍ପର୍ ଡ୍ରାଇଭରକୁ ବିରାମଗାମର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ସମୟରେ ଡ୍ରାଇଭର୍ ଜଣକ ମଧ୍ୟ ପ୍ରାଣ ହରାଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଶେଷରେ ଫାଉଡ଼ା ସାହାଯ୍ୟ ଅନ୍ୟ ମୃତ ଦେହ ଗୁଡ଼ିକୁ ଉଦ୍ଧାର କରାଯାଇଥିଲା । ପୋଲିସ ଉକ୍ତ ଗାଡ଼ିକୁ ଅଟକ ରଖି ଯାଞ୍ଚ ଆରମ୍ଭ କରିଛି ।