ସିଙ୍ଗାପୁର: ଅଗ୍ନିକାଣ୍ଡରେ ସାଉଥ ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ପୁଅ ଗୁରୁତର । ପବନ କଲ୍ୟାଣଙ୍କ ପୁଅ ବିଦେଶରେ ରହି ସିଙ୍ଗାପୁରର ଏକ ସ୍କୁଲ ପାଠ ପଢନ୍ତି । ତେବେ ସେଇ ସ୍କୁଲରେ ଅଗ୍ନିକାଣ୍ଡ ହେବାରୁ ଏଥିରେ ତାଙ୍କ ୭ ବର୍ଷର ଶିଶୁପୁତ୍ର ଗୁରୁତର ହୋଇଛନ୍ତି । ତାଙ୍କ ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିିଛି । ଗୁରୁତର ଅବସ୍ଥାରେ ତାଙ୍କୁ ସିଙ୍ଗାପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପବନ କଲ୍ୟାଣ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲା ଗସ୍ତରେ ଅଛନ୍ତି । ସେ ତାଙ୍କର ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସମାପ୍ତ କରିବା ପରେ ସିଙ୍ଗାପୁର ଯିବାକୁ ନିଷ୍ପତ୍ତି ନେଇଛନ୍ତି । ଜନସେନା ପାର୍ଟି X ରେ ଏକ ପୋଷ୍ଟରେ ଲେଖିଛି, “ପବନ କଲ୍ୟାଣ ଗତକାଲି ଆରାକୁ ନିକଟସ୍ଥ କୁରିଡି ଗାଁର ଆଦିବାସୀମାନଙ୍କୁ ଭେଟିବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରଥମେ ସେ ସେଠାକୁ ଯିବେ ଏବଂ ସେମାନଙ୍କୁ ଭେଟିବେ ଏବଂ ସେମାନଙ୍କ ସମସ୍ୟା ଶୁଣିବେ।”
ପୋଷ୍ଟରେ ଏହା ମଧ୍ୟ କୁହାଯାଇଛି ଯେ କିଛି ବିକାଶ ଯୋଜନା ଆରମ୍ଭ ହେବାକୁ ଯାଉଛି, ତେଣୁ ସେ ଗସ୍ତ ଶେଷ କରିବା ପରେ ହିଁ ସିଙ୍ଗାପୁର ଯିବେ । ଗସ୍ତ ସମାପ୍ତ କରିବା ପରେ, ସେ ବିଶାଖାପାଟଣାରେ ପହଞ୍ଚିବେ, ଯେଉଁଠାରୁ ତାଙ୍କର ସିଙ୍ଗାପୁର ଯିବା ନେଇ ସୂଚନା ରହିଛି ।