ନୂଆଦିଲ୍ଲୀ: ଝିଅକୁ ନ୍ୟାୟ ଦେବା ପରେ ତାଙ୍କ ଅସ୍ଥି ବିସର୍ଜନ କରିବା ସ୍ୱପ୍ନ ସାକାର ହୋଇପାରିଲାନି । କାରଣ ଝିଅ ହତ୍ୟା ପାଇଁ ନ୍ୟାୟର ଲଢେଇ ଲଢି ଲଢି ଶେଷରେ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି ଶ୍ରଦ୍ଧା ୱାକରଙ୍କ ବାପା । ହୃତଘାତରେ ତାଙ୍କ ମୃତ୍ୟୁ ଘଟିଛି ।
୩ ବର୍ଷ ତଳେ ଘଟିଥିଲା ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟା ଘଟଣା । ଏହି ହତ୍ୟା ମାମଲାର ଏବେ ସୁଦ୍ଧା ନ୍ୟାୟ ଆସିନି । ହେଲେ ଶ୍ରଦ୍ଧାଙ୍କ ବାପା ବିକାଶ ୱାକର ରବିବାର ଦିନ ହୃତଘାତରେ ପ୍ରାଣ ହରାଇଛନ୍ତି । ଝିଅ ପାଇଁ କେସ୍ ଲଢୁଥିଲେ ବାପା ବିକାଶ । କୋର୍ଟରେ ଏହି ମାମଲା ବିଚାରଧୀନ ଥିବା ବେଳେ ସେ ଅସ୍ଥି ପାଇବାକୁ ଅପେକ୍ଷା କରି ବସିଥିଲେ । କାରଣ ଦିଲ୍ଲୀ ପୋଲିସ ଏବେ ଯାଏଁ ଅସ୍ଥିକୁ ପରିବାରକୁ ହସ୍ତାନର କରିନାହିଁ । ଏହା ପ୍ରମାଣ ପାଇଁ କୋର୍ଟରେ ରଖାଯାଇଛି । ସେପଟେ ବାପା ଚାହିଁ ବସିଥିଲେ ସେ ଅସ୍ଥି ପାଇଥିଲେ ଝିଅର ଅନ୍ତିମ ସଂସ୍କାର କରିଥାନ୍ତେ । ହେଲେ ତା ପୂର୍ବରୁ ସବୁଦିନ ପାଇଁ ସେ ଆଖି ବୁଜିଛନ୍ତି ।
୨୦୨୨ ମେ ୧୮ରେ ଦିଲ୍ଲୀରେ ରହୁଥିବା ଶ୍ରଦ୍ଧାଙ୍କୁ ତାଙ୍କ ଲିଭ ଇନ୍ ପାର୍ଟନର ଅବତାବ ପୁନାୱାଲା ହତ୍ୟା କରିଥିଲା । ହତ୍ୟା ପରେ ମୃତଦେହକୁ ୩୫ ଖଣ୍ଡ କରି କାଟି ଫ୍ରିଜରେ ରଖିଥିଲା । ଏହାପରେ ଖଣ୍ଡ ବିଖଣ୍ଡିତ ମୃତଦେହକୁ ନେଇ ଜଙ୍ଗଲର ବିଭିନ୍ନ ସ୍ଥାନରେ ପୋଫାଡିଥିଲା । ଏହି ଘଟଣା ସେତେବେଳେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ୨୦୨୨ ନଭେମ୍ବର ୧୨ରେ ପୋଲିସ ଅବତାଫକୁ ଗିରଫ କରିଥିଲା । ଏହି ମାମଲାର ବିଚାର ଏବେ ଦିଲ୍ଲୀର ସାକେତ କୋର୍ଟରେ ଚାଲିଥିବା ବେଳେ ଅଭିଯୁକ୍ତ ଅଫତାବ ତିହାର ଜେଲରେ ରହୁଛି । ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ଦିଲ୍ଲୀ ପୋଲିସ ଅଫତାବଙ୍କ ବିରୁଦ୍ଧରେ ୬୬ଶହ ପୃଷ୍ଠାର ଚାର୍ଜସିଟି ଦାଖଲ କରିଛି ।
ଅଧିକ ପଢନ୍ତୁ: ସମ୍ପତ୍ତି ଆଗରେ ସମ୍ପର୍କ ତୁଚ୍ଛ, କୋଟିପତି ଅଜାକୁ ୭୦ ଥର ଛୁରୀ ଭୁସି ହତ୍ୟା କଲା ନାତି
ଝିଅର ହତ୍ୟାକାରୀକୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଦାବି କରି କୋର୍ଟରେ କେସ୍ ଲଢୁଥିଲେ ଶ୍ରଦ୍ଧାଙ୍କ ବାପା । ଝିଅ ପାଇଁ ନ୍ୟାୟ ମିଳିବା ପୂର୍ବରୁ ସେ ହୃତଘାତରେ ମୃତ୍ୟୁବରଣ କରଛନ୍ତି । ଶ୍ରଦ୍ଧାଙ୍କ ପରେ ଏବେ ଶ୍ରଦ୍ଧା ୱାକରଙ୍କ ବାପାଙ୍କ ମୃତ୍ୟୁ ପରିବାର ପାଇଁ ଦୁଃଖ ଆଣିଦେଇଛି ।