ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ କରିବା ଘଟଣାରେ ଅଭିଯୁକ୍ତକୁ ଚିହ୍ନଟ କଲା ପୁଲିସ । ଅଭିଯୁକ୍ତ ଜଣକ ଚୋରି କରିବାକୁ ଆସିଥିବା ବେଳେ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅଭିଯୁକ୍ତ ଚିହ୍ନଟ ହୋଇଥିବା ନେଇ ମୁମ୍ବାଇ ପୁଲିସ ପକ୍ଷରୁ ସୂଚନା ମିଳିଛି।
ପୁଲିସ କହିଛି, ସିସିଟିଭି ଆଧାରରେ ଚିହ୍ନଟ କରାଯାଇଛି, ତେବେ ଏଇ ଘଟଣାରେ ଜଣେ ହିଁ ଅଭିଯୁକ୍ତ ରହିଛି । ଅଭିଯୁକ୍ତ ଜଣକ ଆପାର୍ଟମେଣ୍ଟରେ ସିଢି ଦେଇ ସୈଫଙ୍କ ଘର ଭିତରୁ ପ୍ରବେଶ କରିଥିଲା । ସନ୍ଦିଗ୍ଧଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି ।
ମୁମ୍ବାଇର ପୋଶ୍ ଅଞ୍ଚଳ ବାନ୍ଦ୍ରାସ୍ଥିତ ଅଭିନେତାଙ୍କ ଘରେ ରାତି ପ୍ରାୟ ସାଢ଼େ ୨ଟାରେ ଏହି ଘଟଣା ଘଟିଥିଲା । ଜଣେ ଘରୋଇ ସହାୟିକା ସନ୍ଦିଗ୍ଧଙ୍କୁ ଦେଖି ଯେତେବେଳେ ବଡ଼ ପାଟିରେ ଚିତ୍କାର କରିଥିଲେ, ପାଟି ଶୁଣି ସୈଫ୍ ଅଲ୍ଲୀ ଖାନ ସେଠାରେ ପହଞ୍ଚିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଅଭିନେତାଙ୍କୁ ସନ୍ଦିଗ୍ଧ ୬ ଥର ଛୁରାମାଡ଼ କରିଥିଲେ । ଏଥିରେ ଘରୋଇ ସହାୟିକାଙ୍କ ହାତରେ ମଧ୍ୟ ମାମୁଲି ଆଘାତ ଲାଗିଛି ।
୫୪ ବର୍ଷୀୟ ସୈଫଙ୍କ ମେରୁଦଣ୍ଡ ହାଡ଼ରେ ଗଭୀର ଆଘାତ ଲାଗିବା ପରେ ତାଙ୍କର ସର୍ଜରୀ କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି । ଘଟଣା ପରେ ସୈଫଙ୍କୁ ତୁରନ୍ତ ଲୀଳାବତୀ ହସ୍ପିଟାଲ ନିଆଯାଇଥିଲା । ସିକ୍ୟୁରିଟି ଗାର୍ଡ ଏବଂ ଡ୍ରାଇଭର ତାଙ୍କୁ ହସ୍ପିଟାଲ ନେଇଥିଲେ । ସେଠାରେ ନ୍ୟୁରୋ ସର୍ଜରୀ କରାଯାଇ ଶରୀରରୁ ୨/୩ ଇଞ୍ଚର ଧାରୁଆ ଅସ୍ତ୍ର ବାହାର କରାଯାଇଛି । ଅଭିନେତାଙ୍କର ଅଢ଼େଇ ଘଣ୍ଟା ପର୍ୟ୍ୟନ୍ତ ଅପରେସନ ଚାଲିଥିଲା । ତାଙ୍କ ବେକ ପାଖରେ ମଧ୍ୟ ଆଘାତ ଲାଗିଛି । ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି ।
ସେପଟେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି ପୋଲିସ । କିନ୍ତୁ ଘଟଣା ପରେ ସେ ଫେରାର ହୋଇଯାଇଛନ୍ତି । ପୋଲିସ ତାଙ୍କୁ ଧରିବା ପାଇଁ ୧୦ ଟି ସ୍ପେଶାଲ ଟିମ୍ ଗଠନ କରି ତଦନ୍ତ କରୁଛି ।