ପୁଣେ: ପ୍ରଥମେ ପହଲଗାମରେ ଧର୍ମ ନାଁରେ ନିରୀହ ପର୍ଯ୍ୟଟଙ୍କୁ ନରସଂହାର ଏବଂ ବର୍ତ୍ତମାନ ସୀମାରେ ପାକିସ୍ତାନ ସେନା ସାଧାରଣଙ୍କୁ ଟାର୍ଗେଟ୍ କରୁଛି । ତଥାପି ଭାରତରେ ଏବେବି କିଛି ଲୋକଙ୍କ ପାକିସ୍ତାନ ପ୍ରେମ ଛାଡ଼ୁନି । ପାକିସ୍ତାନର ଗୁଣଗାନ କରିବା ଜଣେ ଯୁବତୀଙ୍କୁ ଭାରି ପଡ଼ିଛି । ମହାରାଷ୍ଟ୍ର ପୁଣେର କୋଣ୍ଡୱାର ଜଣେ ଯୁବତୀ ‘ପାକିସ୍ତାନ ଜିନ୍ଦାବାଦ’ ଲେଖି ଗିରଫ ହୋଇଛନ୍ତି । ୧୯ ବର୍ଷୀୟା ଯୁବତୀ ପୁଣେରେ ଏକ କଲେଜରେ ପଢ଼ଥିବାବେଳେ କୋଣ୍ଡୱାର କୌସରବାଗ ଅଞ୍ଚଳରେ ରୁହନ୍ତି।
ଶୁକ୍ରବାର (୯ ମେ) ପୋଲିସ କନଷ୍ଟେବଳ ସୁଭାଷ ଜାରାଣ୍ଡେଙ୍କ ଅଭିଯୋଗ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କୋଣ୍ଡୱା ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଛି । ପୋଲିସ ଡେପୁଟି କମିଶନର ରାଜକୁମାର ସିନ୍ଦେ କହିଛନ୍ତି ଯେ ଅଭିଯୁକ୍ତ ଯୁବତୀଙ୍କୁ ଗିରଫ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି ।
ଏଫଆଇଆର ଅନୁଯାୟୀ, ଭାରତୀୟ ସେନା ଦ୍ୱାରା ପାକିସ୍ତାନ ବିରୁଦ୍ଧରେ କରାଯାଉଥିବା ସାମ୍ପ୍ରତିକ କାର୍ଯ୍ୟାନୁଷ୍ଠାନ ସମୟରେ ପୋଲିସ ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖିଛି । ଏହି ସମୟ ମଧ୍ୟରେ ଇନଷ୍ଟାଗ୍ରାମରେ ଯୁବତୀଙ୍କ ଏକ ଆପତ୍ତିଜନକ ପୋଷ୍ଟ ଆସିଥିଲା, ଯେଉଁଥିରେ ଶେଷରେ 'ପାକିସ୍ତାନ ଜିନ୍ଦାବାଦ' ଲେଖାଯାଇଥିଲା। ସେ ଭାରତ ସରକାର ଏବଂ ହିନ୍ଦୁ ଧର୍ମ ବିଷୟରେ ଆପତ୍ତି ଜନକ ପୋଷ୍ଟ କରିଛନ୍ତି । ଏହା ଜଣାଯିବା ପରେ ପୋଲିସ କନଷ୍ଟେବଳ ସୁଭାଷ ଜାରାଣ୍ଡେ ସମ୍ପୃକ୍ତ ଯୁବତୀଙ୍କ ବିରୁଦ୍ଧରେ କୋଣ୍ଡୱା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରିଛି । ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୫୨ (ଭାରତର ଅଖଣ୍ଡତାକୁ ବିପଦରେ ପକାଇବା), ୧୯୬ (ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା), ୧୯୭ (ଜାତୀୟ ସଂହତି ବିରୁଦ୍ଧରେ ମନ୍ତବ୍ୟ), ୨୯୯ (ଧାର୍ମିକ ଭାବନାକୁ ଆଘାତ ଦେବା କାର୍ଯ୍ୟ), ୩୫୨ (ଇଚ୍ଛାକୃତ ଅପମାନ) ଏବଂ ୩୫୩ (ସାର୍ବଜନୀନ ଅଶାନ୍ତି ସୃଷ୍ଟି କରୁଥିବା ବୟାନ) ଅନ୍ତର୍ଭୁକ୍ତ ରହିଛି ।
ଏହି ଘଟଣା ପରେ 'ସକଲ୍ ହିନ୍ଦୁ ସମାଜ'ର କର୍ମୀମାନେ ପ୍ରତିବାଦ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୋଲିସ ସମ୍ପୂର୍ଣ୍ଣ ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରୁଛି ଏବଂ ସୋସିଆଲ ମିଡିଆ କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି।