ଶ୍ରୀନଗର: ପଡ଼ୋଶୀ ପାକିସ୍ତାନ ପୁଣି ଥରେ ନିଜ ପୁରୁଣା ରୂପକୁ ଫେରିଛି । ବିନା କୌଣସି କାରଣରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଅପରେସନ୍ ସିନ୍ଦୂର ପରେ ପାକିସ୍ତାନର ଏହା ପ୍ରଥମ ଅସ୍ତ୍ରବିରତି ଉଲ୍ଲଂଘନ ଅଟେ । ଜାମ୍ମୁ-କଶ୍ମୀରର ପୁଞ୍ଛ ଜିଲ୍ଲାରେ ପାକ୍ ସେନା ଗୁଳି ଚାଳନା କରିବା ପରେ ତାହାର ମୁହଁତୋଡ୍ ଜବାବ ଦେଇଛନ୍ତି ଭାରତୀୟ ବୀର ଯବାନ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି କରାଯାଇଥିବା ଜଣାପଡ଼ିଛି । ପୁଞ୍ଛ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ପାକ୍ ସେନା ପ୍ରାୟ ୧୦ରୁ ୧୫ ମିନିଟ୍ ଧରି ଗୁଳି ଚାଳନା କରାଯାଇଛି । ଭାରତୀୟ ସେନା ମଧ୍ୟ କଡ଼ା ଜବାବ ଦେଇଛି । ଫଳରେ କିଛି ସମୟ ପରେ ଗୁଳି ବର୍ଷା ବନ୍ଦ ହୋଇଥିଲା । ଏହା ସମ୍ପୃକ୍ତ ଅଞ୍ଚଳରେ ହାଇ ଆଲର୍ଟ ଜାରି କରିଦିଆଯାଇଛି । ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ବୋଲି କୁହାଯାଉଛି ।
ଭାରତୀୟ ସେନାର ୦୪-ଜିଏକେ ରାଇଫଲ୍ ପକ୍ଷରୁ ଦାବି କରାଯାଇଛି ଯେ ପାକିସ୍ତାନୀ ସେନା ୮୦୧ ମଜାହଦୀନ ପୋଷ୍ଟ, ଏଲପି-୧ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଭାରତୀୟ ସେନାର ଛତ୍ରୀ ପୋଷ୍ଟ ନିକଟରେ ଛୋଟ ଅସ୍ତ୍ରରେ ୧୨ରୁ ୧୫ ରାଉଣ୍ଡ୍ ଗୁଳି ଚଳାଇଥିଲା । ଆମ ସେନା ପକ୍ଷରୁ ମଧ୍ୟ ଜବାବୀ ଗୁଳି ଦିଆଯାଇଥିଲା ।
ଆଜି ଜାମ୍ମୁ-କଶ୍ମୀରରେ ୩୭୦ ଉଚ୍ଛେଦକୁ ୬ ବର୍ଷ ପୂରଣ କରିଛି । ଏହି ଅବସରରେ ପାକିସ୍ତାନ ପୁଣି ଥରେ ବିଚଳିତ ହୋଇପଡ଼ିଛି । ଅପରେସନ୍ ସିନ୍ଦୂର ପରେ ପାକିସ୍ତାନ ଏହା ପ୍ରଥମ ଅସ୍ତ୍ରବିରତି ଉଲ୍ଲଂଘନ ବୋଲି କୁହାଯାଉଛି । ଅପରେସନ୍ ସିନ୍ଦୂର ସମୟରେ ମେ ୧୦ ତାରିଖରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହୋଇଥିଲା ।