ନୂଆଦିଲ୍ଲୀ: ଋଣ ଠକେଇ ମାମଲାରେ ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଧିରୁଭାଇ ଅମ୍ବାନୀଙ୍କ ବୟାନ ରେକର୍ଡ କରାଯାଇଛି । ମଙ୍ଗଳବାର ଦିନ ଦିଲ୍ଲୀସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟ କାର୍ୟ୍ୟାଳୟରେ ଅନିଲଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ଘାଣ୍ଟିଥିଲେ ତଦନ୍ତ ଅଧିକାରୀ । ତାଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଦାଖଲ କରିବାକୁ ମଧ୍ୟ କୁହାଯାଇଥିଲା । ଏଥିପାଇଁ ଅନିଲ ଇଡିଠାରୁ ୭ ଦିନର ମହଲତ ମାଗିଛନ୍ତି ।
ଏହି ମାମଲାଟି ରିଲାଏନ୍ସ ଇନଫ୍ରାଷ୍ଟକ୍ଚର ସମେତ ଅନୀଲ ଅମ୍ବାନୀଙ୍କ ଅନେକ କମ୍ପାନୀ ଦ୍ୱାରା ୧୭୦୦୦ କୋଟି ଟଙ୍କାରୁ ଅଧିକ ଋଣର ଆର୍ଥିକ ଅନିୟମିତତା ଏବଂ ହେରଫେର ସହିତ ଜଡିତ ଅଟେ । ଇଡି ଅନୀଲ ଅମ୍ବାନୀଙ୍କ ବିରୁଦ୍ଧରେ ଏକ ଲୁକଆଉଟ୍ ସର୍କୁଲାର ମଧ୍ୟ ଜାରି କରିଛି । ଏହା ସହିତ, ରିଲାଏନ୍ସ ଗ୍ରୁପର କିଛି ଅଧିକାରୀଙ୍କୁ ମଧ୍ୟ ପଚରାଉଚରା ପାଇଁ ସମନ କରାଯାଇଛି।
ଅନିଲ ଅମ୍ବାନୀଙ୍କ ବିରୁଦ୍ଧରେ ଦୁଇଟି ମୁଖ୍ୟ ଅଭିଯୋଗ ରହିଛି । ପ୍ରଥମ ଅଭିଯୋଗଟି ୟସ୍ ବ୍ୟାଙ୍କ ସହ ଜଡିତ ଅଟେ । ୨୦୧୭ ରୁ ୨୦୧୯ ମଧ୍ୟରେ ୟେସ୍ ବ୍ୟାଙ୍କ ଦ୍ୱାରା ଅମ୍ବାନୀ ଗ୍ରୁପ୍ କମ୍ପାନୀଗୁଡ଼ିକୁ ଦିଆଯାଇଥିବା ପ୍ରାୟ ୩,୦୦୦ କୋଟି ଟଙ୍କାର ଋଣର ଅପବ୍ୟବହାର କରାଯାଇଛି । ୟସ୍ ବ୍ୟାଙ୍କ ଦ୍ୱାରା ଏହି କମ୍ପାନୀଗୁଡ଼ିକୁ ଋଣ ଅନୁମୋଦନରେ ନିୟମ ଉଲ୍ଲଂଘନର ଅଭିଯୋଗର ତଦନ୍ତ କରୁଛି । ଏହି ଋଣଗୁଡ଼ିକୁ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ଦ୍ୱାରା ଅନେକ ଗୋଷ୍ଠୀ କମ୍ପାନୀ ଏବଂ ସେଲ୍ କମ୍ପାନୀଗୁଡ଼ିକୁ ପଠାଯାଇଥିବା ଅଭିଯୋଗ ହୋଇଛି।
ସେହିପରି ଦ୍ୱିତୀୟ ଅଭିଯୋଗରେ ସେବି ରିପୋର୍ଟ ଆଧାରରେ ତଦନ୍ତ କରାଯାଉଛି । ରିଲାଏନ୍ସ ଇନଫ୍ରା ସିଏଲ୍ଇ ନାମକ ଏକ କମ୍ପାନୀ ମାଧ୍ୟମରେ ରିଲାଏନ୍ସ ଗ୍ରୁପ୍ କମ୍ପାନୀଗୁଡ଼ିକ ମଧ୍ୟରେ ଆନ୍ତଃ-କର୍ପୋରେଟ୍ ଜମା (ICD) ଆକାରରେ ଗୁପ୍ତ ପରିମାଣକୁ ଠକି ନେଇଛି ।